ଗୋଚର ଜମିରେ କମ୍ୟୁନିଟି ସେଂଟର ଓ ଅଙ୍ଗନୱାର୍ଡି କେନ୍ଦ୍ର ଗୃହ ନିର୍ମାଣ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତର ଗୋଚର ଜମିରେ କମ୍ୟୁନିଟି ସେଂଟର ଓ ଅଙ୍ଗନୱାର୍ଡି କେନ୍ଦ୍ର ଗୃହ ନିର୍ମାଣ କରାଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ପଳସିଂହା ପଂଚାୟତର ଗରଜଙ୍ଗ ରାଜସ୍ୱ ଗ୍ରାମର ଆମ୍ବପଡା ପଡାଗ୍ରାମର ଖାତା ନମ୍ବର -୬୨୬ ପ୍ଲଟ ନମ୍ବର ୧୭୯୧ର ରକବା ଏ୦.୦୨୦ ଗୋଚର କିଷମ ଜମିରେ ୨୦୧୪-୧୫ ଆର୍ଥିକ ବର୍ଷର ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠିରେ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଛି । ଗୋଚର ଜମିରେ ସରକାରୀ ଅନୁଦାନରେ କୈାଣସି ନିର୍ମାଣ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳଙ୍କ ଅନୁମୋଦନ ଆବଶ୍ୟକ ଥିବା ବେଳେ ତାହାକୁ ଏଡାଇଯାଇ ବିନା ଅନୁମତିରେ ବେଆଇନ ଭାବେ ଗୋଚର ଜମି ଉପରେ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ମଧୁସୁଦନ କମ୍ୟୁନିଟି ସେଂଟର ନାମରେ କୈାଣସି କାଗଜପତ୍ର ନଥିବା ବେଳେ କିଭଳି ଏଭଳି ବେଆଇନ ନିର୍ମାଣ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଗଲା ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଏତଦଭିନ୍ନ ସେହି ପ୍ଲଟକୁ ଲାଗି ୧୭୯୨ ନମ୍ବର ପ୍ଲଟ ରକବା ଏ୦.୦୩୦ଗୋଚର କିଷମ ଜମିରେ ୮ଲକ୍ଷ ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ଆମ୍ବପଡା ଅଙ୍ଗନୱାର୍ଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ବେଆଇନ ଭାବେ ଆରମ୍ଭ କରାଯାଇଥିବା ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏଭଳି ଖୋଲାଖୋଲି ଭାବରେ ସରକାରଙ୍କ ନୀତି ନିୟମକୁ ଉଲ୍ଲଙ୍ଘନ କରାଯାଇ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ ମହେନ୍ଦ୍ର କୁମାର ମଳିକ,ଭିକାରୀ ପରିଡା,ବିଶ୍ୱପ୍ରକାଶ ବିଶ୍ୱାଳ,ବିଷ୍ଣୁ ଚରଣ ଦାଶ,ସୁଧାକର ସାହୁ,ଶୁକଦେବ ରାଉତ,ଗୋବିନ୍ଦ ମଳିକ,ଭରତ ମଳିକ,ରଞ୍ଜନ ବିଶ୍ୱାଳ,ବାନାମ୍ବର ମଳିକ,ରାଜେଶ ମଳିକ,ବାବୁରାମ ସାମଲ,ପରିକ୍ଷିତ ଜେନା,ମହେଶ୍ୱର ଦାଶ,ବିଜୟ କୁମାର ରାଉତ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଏହି ଅଭିଯୋଗର ନକଲ କେନ୍ଦ୍ରାପଡା ବିଡିଓ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ,କେନ୍ଦ୍ରାପଡା ତହସିଲଦାର,କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଓ ୫ଟି ସଚିବଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।


