ଜିଲ୍ଲାପାଳଙ୍କ ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ): ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ବିଦେଶରୁ ଆସୁଥିବା କେନ୍ଦ୍ରାପଡା ଜିଲ୍ଲାର ପ୍ରବାସୀ ଭାଇଭଉଣୀମାନଙ୍କ ପଞ୍ଜିକରଣ,କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଟ୍ରେନ ଯୋଗେ ବିଭିନ୍ନ ଦେଶ ଓ ରାଜ୍ୟରେ ଅଟକି ରହିଥିବା ଶ୍ରମିକ ଓ କର୍ମଜୀବିମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ପ୍ରଥମେ ରାଜ୍ୟକୁ ଏବଂ ରାଜ୍ୟରୁ ବିଭିନ୍ନ ଜିଲ୍ଲାକୁ ଅଣାଯିବାର ବ୍ୟବସ୍ଥା କରାଯାଇଥିଲା । ବିଦେଶରୁ ଆସୁଥିବା ଜିଲ୍ଲାର ଅଧିବାସୀମାନଙ୍କୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସ୍ୱାଗତକରି ବିଭିନ୍ନ ବ୍ଲକର ପଂଚାୟତ ଗୁଡିକରେ ହୋଇଥିବା ଅସ୍ଥାୟୀ କୋଭିଡ ସଙ୍ଗରୋଧକେନ୍ଦ୍ରକୁ ପଠାଯାଉଛି । ଦୀର୍ଘ ୨ମାସରୁ ଅଧିକ ସମୟ ଧରି ବିଭିନ୍ନ ଦେଶ ଓ ରାଜ୍ୟରେ ଲକଡାଉନ ଯୋଗୁଁ ଫସିରହିଥିବା ଜିଲ୍ଲାର ଅଧିବାସୀମାନେ ଘରକୁ ଫେରିବା ଆରମ୍ଭ କରିଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୨୪ଘଂଟାକୁ ୨ଭାଗକରି ଜିଲ୍ଲା ପ୍ରଶାସନ କର୍ମଚାରୀମାନଙ୍କୁ ସେହି ସ୍ଥାନରେ ଦାୟୀତ୍ୱ ଦେଇ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲା । ଗୋଟିଏ ସପ୍ତାହ ପରେ ଏହାକୁ ଅଧିକ ଶୃଙ୍ଖଳିତ କରିବାକୁ ସକାଳ ୬ଟାରୁ ଅପରାହ୍ନ ୨ଟା,ଅପରାହ୍ନ ୨ଟାରୁ ରାତି ୧୦ଟା ଓ ରାତି ୧୦ଟାରୁ ପରଦିନ ସକାଳ ୬ଘଟିକା ଏହିପରି ୩ଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇ ଆସୁଥିବା ପ୍ରବାସୀମାନଙ୍କ ନାମ ଓ ତଥ୍ୟ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ଅନଲାଇନ କରାଯାଇ ବ୍ଲକ ଓ ଜିଲ୍ଲା କଂଟ୍ରୋଲରୁମ ସହିତ ରାଜ୍ୟ ନିୟନ୍ତ୍ରଣକକ୍ଷକୁ ସୂଚନା ଦିଆଗଲା । ପ୍ରତି ସଙ୍ଗରୋଧ କେନ୍ଦ୍ରକୁ ପଠାଯାଉଥିବା ଗାଡି ଗୁଡିକୁ ଶିକ୍ଷା ବିଭାଗର କର୍ମଚାରୀମାନେ ରାସ୍ତା ଦେଖାଉଥିଲେ । ପୋଲିସ ବିଭାଗର କର୍ମଚାରୀମାନେ ସୁରକ୍ଷା ଯୋଗାଇଦେଇ ଜିଲ୍ଲା ପଞ୍ଜିକରଣ କେନ୍ଦ୍ରରୁ ସଂପୃକ୍ତ ବ୍ଲକ ଅଧିନରେ କାର୍ଯ୍ୟ କରୁଥିବା ବିଭିନ୍ନ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ଛାଡୁଥିଲେ । ଏହି କାର୍ଯ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କ ଠାରୁ ଆରମ୍ଭକରି କମ୍ପ୍ୟୁଟର ପ୍ରୋଗ୍ରାମର ପର୍ଯ୍ୟନ୍ତ,ଶିକ୍ଷା ବିଭାଗର ଶିକ୍ଷକଙ୍କ ଠାରୁ ଆରମ୍ଭକରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ,ପୋଲିସ ବିଭାଗର ଗ୍ରାମରକ୍ଷୀଙ୍କ ଠାରୁ ଆରମ୍ଭକରି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ଏବଂ ଆଚଂଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି ଦିନରାତି କାମକରି ପ୍ରବାସୀମାନଙ୍କୁ ଉଚିତ ଥଇଥାନ କରାଉଥିଲେ । ପ୍ରବାସୀମାନଙ୍କୁ ପଞ୍ଜିକରଣ ସମୟରେ ଶୁଖିଲାଖାଦ୍ୟ ଓ ପିଇବାପାଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିଲା । ଶୈାଚାଳୟ ବ୍ୟବସ୍ଥା କରାଯିବା ସହ ପ୍ରତି ୬ଘଂଟାରେ ପଡିଆ ଓ ଗାଡି ଗୁଡିକୁ ବିଶୋଧନ କରାଯାଉଥିଲା । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ପ୍ରବାସୀ ପଞ୍ଜିକରଣ କେନ୍ଦ୍ରରେ ଉପସ୍ଥିତ ଥିବା ଜିଲ୍ଲା ପ୍ରଶାସନର ବିଭିନ୍ନବର୍ଗର କର୍ମଚାରୀ,ଶିକ୍ଷା ଓ ପୋଲିସ ବିଭାଗର ନିୟୋଜିତ କର୍ମଚାରୀଙ୍କୁ ଗ୍ଲୋବସ, ମାସ୍କ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହିତ ଜିଲ୍ଲା ପ୍ରଶାସନକୁ ହୃଦୟଭରି ବିନାଦ୍ୱିଧାରେ ଦେଇଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ଓଡିଶା ରାଜସ୍ୱ ସେବାର ନୂତନ ଭାବେ ଯୋଗଦେଇଥିବା ପ୍ରଫୁଲ୍ଲ ବିଶ୍ୱାଳ ଓ ଅଶୋକ ବେହେରାଙ୍କୁ ଅଧିକ ପରିଶ୍ରମକରି କିଭଳି ଲୋକମାନଙ୍କୁ ସେବା ଯୋଗାଇ ଦିଆଯାଇପାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ