୭୫ ଟଙ୍କାରେ ମିଳିବ ଫାଭିପିରାବିର
ନୂଆଦିଲ୍ଲୀ : ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲେନମାର୍କ କରୋନା ଆକ୍ରାନ୍ତଙ୍କ ଲାଗି ଏକ ଭଲ ଖବର ଆଣିଛି। କମ୍ପାନୀ ମୁମ୍ୱାଇରେ ଏହାର କରୋନା ଔଷଧ ଫାଭିପିରାବିର ମୂଲ୍ୟ ହ୍ରାସ କରିଛି। ଫାଭିପିରାବିରର ଗୋଟିଏ ବଟିକାର ମୂଲ୍ୟ ପୂର୍ବରୁ ୧୦୩ ଟଙ୍କା ଥିଲା। ଏବେ ସେଥିରେ ୨୮ ଟଙ୍କା ହ୍ରାସ କରାଯାଇ ଏହାର ମୂଲ୍ୟ ୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଫାବିଫ୍ଲୁ ବ୍ରାଣ୍ଡରେ ବିକ୍ରି ହେଉଥିବା ଫାଭିପିରାବିରକୁ ଜୁନ୍ ୨୧ରେ କମ୍ପାନୀ ବଜାରକୁ ଛାଡିଥିଲା। ଗ୍ଲେନମାର୍କ ଭାରତରେ କରୋନା ରୋଗୀଙ୍କ ଉପରେ ଫାବିଫ୍ଲୁର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଶେଷ କରିଛି। ଏହାର ଫଳାଫଳ ଖୁବ ଶୀଘ୍ର ସାର୍ବଜନୀନ କରାଯିବ ବୋଲି କମ୍ପାନୀ କହିଛି। ପୂର୍ବରୁ ବିଦେଶରୁ କଞ୍ଚାମାଲ ଆମଦାନୀ କରି ଫାଭିପିରାବିର ଔଷଧ ପ୍ରସ୍ତୁତ କରାଯାଉଥିଲା। ଏବେ ଏହି କମ୍ପାନୀ କଞ୍ଚାମାଲ ପ୍ରସ୍ତୁତି ଲାଗି ଦେଶର ଅନ୍ୟ କମ୍ପାନୀ ସହିତ ହାତ ମିଳାଇଛି। ଦେଶରେ ଉପଲବ୍ଧ କଞ୍ଚାମାଲରେ ଏହି ଔଷଧ ପ୍ରସ୍ତୁତ ହେବାକୁ ଯାଉଥିବାରୁ ଏହି ଔଷଧର ମୂଲ୍ୟ ହ୍ରାସ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ କରୋନା ସଂକ୍ରମିତମାନେ ଏହି ଔଷଧକୁ ବ୍ୟବହାର କରିପାରିବେ। କରୋନା ଦ୍ବାରା ସ୍ବଳ୍ପ ପ୍ରଭାବିତ ଲୋକଙ୍କଠାରେ ଏହି ଔଷଧ ଉତ୍ତମ କାମ ଦେବ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ରୁଷରେ କରୋନା ଔଷଧ ମୂଲ୍ୟ ୬୦୦ ଟଙ୍କା, ଜାପାନରେ ୩୭୮ ଟଙ୍କା, ବାଂଲାଦେଶରେ ୩୧୫ ଟଙ୍କା ଏବଂ ଚାଇନାରେ ୨୧୫ ଟଙ୍କା ରହିଥିବା ଜଣାପଡିଛି।