ଖାଉଟି ସାମଗ୍ରୀ ବଂଟନ ଓଜନରେ ଠକେଇ ବ୍ଳକ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ଘୋଡାଂଶ ପଂଚାୟତର ଚାନ୍ଦଖାଁପାଟଣା ଗ୍ରାମରେ ଖାଉଟି ହିତାଧିକାରୀମାନେ ଖାଉଟି ସାମଗ୍ରୀ କମ ଓଜନର ପାଇଥିବାକୁ ନେଇ ବ୍ଳକ ଯୋଗାଣ ଅଧିକାରୀଙ୍କୁ ଶୁକ୍ରବାର ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଅନୁସୂଚିତ ଜାତି ସାହିରେ ଗାଦିବ୍ରହ୍ମ ସ୍ୱୟଂ ସହାୟୀକା ଦଳ ଖାଉଟି ସାମଗ୍ରୀ ବଂଟନ କରୁଅଛି । କିନ୍ତୁ ଖାଉଟି ସାମଗ୍ରୀ ବଂଟନରେ କମ ଓଜନର ସାମଗ୍ରୀ ପ୍ରଦାନ କରୁଥିବାର ହିତାଧିକାରୀମାନେ ସନ୍ଦେହ କରୁଥିଲେ । ସାହିର ସମସ୍ତ ହିତାଧିକାରୀ ଗତ ୧୯ ତାରିଖରେ ଖାଉଟି ସାମଗ୍ରୀ ଆଣିଥିଲେ । ଉକ୍ତ ସାମଗ୍ରୀକୁ ଘରେ ଓଜନ କରିବାରୁ ୨ କିଲୋରୁ ୨ କିଲୋ ୫ ଶହ ଗ୍ରାମ ସାମଗ୍ରୀ କମ ଥିବା ଜଣାଯାଇଥିଲା । ଏସଂକ୍ରାନ୍ତରେ ଗାଦିବ୍ରହ୍ମ ସ୍ୱୟଂ ସହାୟୀକା ଦଳ ନିକଟରେ ହିତାଧିକାରୀ ମାନେ ଅଭିଯୋଗ କରିଥିଲେ । ଉକ୍ତ ଦଳର ସଭାନେତ୍ରୀଙ୍କ ସ୍ୱାମୀ ହିତାଧିକାରୀଙ୍କ ନିକଟରେ ପହଂଚି ସାମଗ୍ରୀ ଓଜନ କରି କମ ଥିବା ଦେଖିଥିଲେ । ଓଜନର କଂଟା ଭୁଲ ଥିବା କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । କିନ୍ତୁ ଦୀର୍ଘ ଦିନ ହେବ ଏହି ସ୍ୱୟଂ ସହାୟୀକା ଦଳ ଓଜନରେ ଠକେଇ କରୁଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ସ୍ୱୟଂ ସହାୟୀକା ଦଳ ଖାଉଟି ସାମଗ୍ରୀ ବଂଟନ ଦାୟିତ୍ୱ ନେଇଥିବା ବେଳେ ନିଜେ ବଂଟନ ସ୍ଥଳକୁ ଆସନ୍ତ ନାହିଁ । ହିତାଧିକାରୀମାନଙ୍କୁ ଓଜନରେ ଠକୁଥିବା ଦଳକୁ ସାମଗ୍ରୀ ବଂଟନରୁ ନିବୃତ କରିବା ସହିତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହି ଅଭିଯୋଗରେ ହିତାଧିକାରୀ ଅର୍ଜୁନ ଭୋଇ, ବନମାଳି ଭୋଇ, ମିହିର କୁମାର ଭୋଇ, ସମୀର ଭୋଇ ଆଦି ସ୍ୱାକ୍ଷର କରିଥିବା ଜଣାଯାଇଛି । ଏ ବିଷୟରେ ବ୍ଳକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତିଙ୍କୁ ପଚାରିବାରୁ ମୋତେ ଲିଖିତ ଅଭିଯୋଗ ପ୍ରଦାନ କରି ନାହାନ୍ତି, ଫୋନ ମାଧ୍ୟମରେ କହିଥିଲେ । ଲିଖିତ ଅଭିଯୋଗ ପ୍ରଦାନ କଲେ ତଦନ୍ତ କରାଯାଇ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏସଂର୍ପକରେ ଗାଦିବ୍ରହ୍ମ ଗାଦିବ୍ରହ୍ମ ସ୍ୱୟଂ ସହାୟୀକା ଦଳର ସଭାନେତ୍ରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ