ଫୁଲବାଣୀରେ ଉଦ୍ଘାଟିତ ହେଲା କୋଭିଡ଼୍-୧୯ ପରୀକ୍ଷାଗାର
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହୋଇଯାଇଛି ବହୁ ପ୍ରତିକ୍ଷିତ କୋଭିଡ଼୍-୧୯ ପରୀକ୍ଷାଗାର। ପୂର୍ବରୁ କନ୍ଧମାଳ ଜିଲାରେ ଯେଉଁ ସ୍ୱାବ ସଂଗ୍ରହ କରାଯାଉଥିଲା ତାହା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଉଥିବା ଯୋଗୁଁ ରିପୋର୍ଟ ମିଳିବାରେ ପ୍ରାୟ ଏକ ସପ୍ତାହ ଲାଗିଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି କୋଭିଡ଼୍-୧୯ ପରୀକ୍ଷାଗାର। ଏହାକୁ କନ୍ଧମାଳ ସି.ଡ଼ି.ଏମ୍.ଓ ଡ଼.ରାଜଶ୍ରୀ ପଟନାୟକ ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.କଲ୍ୟାଣି ମିଶ୍ର, ଜିଲା ସ୍ୱାସ୍ଥ୍ୟ କଲ୍ୟାଣ ଅଧିକାରୀ ଡ଼. ପ୍ରସନ୍ନ କୁମାର ତ୍ରିପାଠୀ ଓ ଡ଼ି.ଏମ୍.ଆର୍.ସି.ଏଚ୍ ଆଶିଷ୍ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଫୁଲବାଣୀ ଠାରେ ଉଦ୍ଘାଟିତ ହୋଇଥିବା ଉକ୍ତ ପରୀକ୍ଷାଗାରେ ପ୍ରତ୍ୟେକ ଦିନ ୨୦ ରୁ ୩୦ଟି ସ୍ୱାର୍ବ ପରୀକ୍ଷା କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂୁଚନା ଦିଆଯାଇଛି। ତେବେ ଜିଲାରେ ଅଧିକ ସଂଖ୍ୟରେ ସ୍ୱାର୍ବ ସଂଗ୍ରହ କରାଗଲେ ପୂର୍ବପରି ମଧ୍ୟ ଭୁବନେଶ୍ୱର ପଠାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିବା ବେଳେ ପୂର୍ବରୁ ଭୁବନେଶ୍ୱର ପଠାଯାଇଥିବା ସ୍ୱାର୍ବ ମଧ୍ୟରୁ ଆହୁରି ୪୦୦ ରିପୋର୍ଟ ଆସିନଥିବା ପ୍ରକାଶ। ଅନ୍ୟପକ୍ଷରେ ଫୁଲବାଣୀରେ ଏହି ସ୍ୱାର୍ବ ପରୀକ୍ଷା କେନ୍ଦ୍ର ଖୋଲାଯାଇଥିବା ଯୋଗୁଁ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଯେଉଁଦିନ ସ୍ୱାର୍ବ ପରୀକ୍ଷା କରାଯିବ ସେହିଦିନ ହିଁ ରିପୋର୍ଟ ମିଳିପାରିବ ବୋଲି ସୂଚନା ଦିଆଯାଇଛି।


