ବ୍ରାହ୍ମଣୀଗାଁ ଦୀର୍ଘ ଦିନ ଧରି କଣ୍ଟେନମେଣ୍ଟ ଜୋନ, ରାତିରେ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘଦିନ ହେଲା କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। କଣ୍ଟେନମେଣ୍ଟ ଘୋଷଣା କରିବାର ଆଜକୁ ଦଶଦିନ ବିତିଲାଣି। ଆଉ କେତେଦିନ କଟକଣା ରହିବ ଲୋକେ ସ୍ପଷ୍ଟ ହୋଇପାରୁ ନ ଥିବାରୁ ଆଜି ରାତିରେ ଅଧିବାସୀ ଓ ବଜାରବାସୀ ସରପଞ୍ଚ ରମେଶ ମାଝୀଙ୍କୁ ଘେରାଉ କରିଥିବାର ଖବର ମିଳିଛି। ଖବର ପାଇ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଘଟଣା ସ୍ଥଳରେ ପହଞ୍ଚି ଏଥିରେ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି।ଅନିର୍ଦ୍ଧିଷ୍ଟକାଳ ନିଷେଦ୍ଧାଞ୍ଚଳ ଜାରି କରାଯାଇଥିବାରୁ ସାଧାରଣ ଜନ ଜୀବନ ଦୁର୍ବିସହ ହୋଇ ପଡିଛି। ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିର୍ଦ୍ଧିଷ୍ଟ ସମୟରେ ଯୋଗାଣଗାଡି ଆସିପାରୁ ନ ଥିବାରୁ ଗ୍ରସେରୀ ଓ ପନିପରିବାଦର ବୃଦ୍ଧିପାଉଛି। ଛୋଟମୋଟ କାମକରି ଦୈନିକ ପରିବାର ଚଳାଉଥିବା ଲୋକେ ବହୁତ ହଇରାଣ ହେଲେଣି। ପିଡିଏସ୍‍ ଚାଉଳ ଆସି ଗୋଦାମରେ ପଡିରହିଛି ହେଲେ କଟକଣା ଲାଗିରହିଥିବାରୁ ଲୋକେ ରାସନ ପାଇବାରେ ଅସୁବିଧା ହେଉଛି। ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ରଖିବା ସହିତ ସମସ୍ତ ପ୍ରତିଷେଧକ ନିୟମ କଡା କଡି ପାଳନ କରିବାକୁ ଏବଂ ପୋଜିଟିଭ୍‍ ଚିହ୍ନଟ ଅଂଚଳକୁ ସାନିଟାଇଜ କରି ସାଧାରଣ ଜନତା କିପରି ସୁବିଧାରେ ରାସନ ସାମଗ୍ରୀ ପାଇପାରିବେ ସେଥିପାଇଁ ବଜାର କମିଟି ଓ ସ୍ଥାନୀୟ ବାସୀନ୍ଧା ସରପଂଚଙ୍କୁ ଘେରିଥିଲେ। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀମୁନୀ ଓ ସଂଗ୍ରାମ କେଶରୀ ଜେନା ଆସି ଲୋକଙ୍କୁ ବୁଝାଶୁଝା କରିଥିଲେ ଏବଂ ଲୋକେ ଯେପରି ସୁବିଧାରେ ରାସନ ପାଇବେ ସେଥିପାଇଁ କିଛି ସ୍ୱତନ୍ତ୍ର ହୋଲ୍‍ସେଲ୍ ଫଳ ଦୋକାନୀ ସହିତ ଦୁଇଟି ପରିବା ଦୋକାନୀଙ୍କୁ ଆବଶ୍ୟକୀୟ ସାମଗ୍ରୀର ଲିଷ୍ଟ ନେଇ ସାମାଜିକ ଦୂରତାକୁ ବଜାୟରଖି ଦୋକାନ ନଖୋଲି ରାସନ ଯୋଗାଇବାକୁ କହିବାପରେ ଲୋକେ ହଟିଥିଲେ। ଏଥି ସହିତ ତୁରନ୍ତ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତିା କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଲୋକଙ୍କୁ ବୁଝାଶୁଝା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ