ପୂର୍ବତନ ମନ୍ତ୍ରୀ, ଜନନେତା ପ୍ରହ୍ଲାଦ ମଲିକଙ୍କ ଜୀବନୀ ପୁସ୍ତକ ‘ପ୍ରଥିତଯଶା ପ୍ରହ୍ଲାଦ’ ଉନ୍ମୋଚିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ଜନନେତା ପ୍ରହ୍ଲାଦ ମଲିକଙ୍କ ଏକ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ‘ପ୍ରଥିତଯଶା ପ୍ରହ୍ଲାଦ’ ଓଡ଼ିଶାର ପର୍ଯ୍ୟଟନ, ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଆଜି ସ୍ଥାନୀୟ ରେଡ଼କ୍ରସ ଭବନରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ରଚିତ ଏହି ପୁସ୍ତକରେ ସ୍ୱର୍ଗତ ମଲିକଙ୍କର ବହୁବିଧ ପ୍ରତିଭା ସମ୍ପର୍କରେ ବିଶଦ ଭାବରେ ଉପସ୍ଥାପନ କରାଯାଇଛି । ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାଣିଗ୍ରାହୀ ସ୍ୱର୍ଗତ ମଲିକଙ୍କୁ ଜଣେ ଯୋଗଜନ୍ମା ପୁରୁଷ ରୂପେ ବର୍ଣ୍ଣନା କରିବା ସହିତ ଓଡ଼ିଶାର ବିକାଶ ପାଇଁ ତାଙ୍କର ଅବଦାନ ଯୋଗୁଁ ସେ ଆଜି ଜନଗହଣରେ ଅବିସ୍ମୃତ ରହିଛନ୍ତି ବୋଲି କହିଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଜୀବନ ପୁସ୍ତକର ସମୀକ୍ଷା କରି ପ୍ରହ୍ଲାଦ ବାବୁଙ୍କୁ ଜଣେ ଦୃଢ ମାନସିକତାର ବ୍ୟକ୍ତି ରୂପେ ବର୍ଣ୍ଣନା କରିବା ସହିତ ତାଙ୍କ ସହିତ କଟେଇଥିବା ରାଜନୈତିକ ଅନୁଭୂତି ଉପସ୍ଥାପନ କରିଥିଲେ ଏବଂ ତକ୍ରାଳୀନ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଶ୍ରୀ ମଲିକ ଏକମାତ୍ର ଯୋଗ୍ୟ ବ୍ୟକ୍ତି ଥିବା ସତ୍ତେ୍ୱ ବିଭିନ୍ନ କାରଣରୁ ତାହା ହୋଇପାରିନଥିଲା ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ନିଶା ନିବାରଣ ଆନ୍ଦୋଳନର ପୁରୋଧା ଶ୍ରୀଯୁକ୍ତ ପଦ୍ମଚରଣ ନାୟକ, ପ୍ରହ୍ଲାଦ ବାବୁଙ୍କ ବାଳୁତ ଓ ଯୁବାବସ୍ଥା ସମୟରେ ସେବା କରିବାର ମନୋଭାବ ସମ୍ପର୍କରେ ଉପସ୍ଥାପନା କରିଥିଲେ । ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକ ଏହି ସଭାରେ ଯୋଗଦେଇ ସେମାନଙ୍କ ପରିବାର ସହିତ ପ୍ରହ୍ଲାଦ ବାବୁଙ୍କ ସମ୍ପର୍କରେ ବର୍ଣ୍ଣନା କରିବା ସହ ତାଙ୍କର ଦୃଢ ନେତୃତ୍ୱ ଓ ତକ୍ରାଳୀନ ରାଜନୈତିକ ପରିସ୍ଥିତ ସମ୍ପର୍କରେ ଉପସ୍ଥାପନା କରିଥିଲେ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଥିଲେ ଯେ, ଏହି ଜୀବନୀ ପୁସ୍ତକ ତାଙ୍କୁ କେନ୍ଦ୍ରାପଡ଼ାର ବିକାଶ କରିବା ପାଇଁ ପଥ ପ୍ରଦର୍ଶକ ହେବ । \nଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ଡଃ ସିପ୍ରା ମଲିକ ସ୍ୱାଗତ ଭାଷଣ ଦେଇଥିଲେ; ତତ୍ପରେ ପରିଷଦର ସାଧାରଣ ସମ୍ପାଦକ ଡଃ ବସନ୍ତ କୁମାର ମଲିକ ଜୀବନୀ ପୁସ୍ତକ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ପତ୍ରକାର ତଥା ପରିଷଦର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ସଭାରେ ସଭାପତିତ୍ୱ କରିଥିଲେ । ଶେଷରେ ସୁବ୍ରତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ