ବିନା ସୂଚନା ଫଳକରେ ଶେଷ ହେଲା ବିଦ୍ୟୁତ ଷ୍ଟ୍ରକଚର କାର୍ଯ୍ୟ
ନାଉଗାଁ,(ଓ୍ବାଇଏନ୍ଏସ୍): ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଦ୍ୟୁତ ଷ୍ଟ୍ରକଚରମାନ ନିର୍ମାଣ କରାଯାଉଛି । ନାଉଗାଁ ବ୍ଳକର ୧୬ ଗୋଟି ପଂଚାୟତକୁ ନାଉଗାଁ ଷ୍ଟ୍ରକଚରରୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି । ଉକ୍ତ ଷ୍ଟ୍ରକଚରରେ ଆବଶ୍ୟକ ଠାରୁ ଅଧିକ ଉପଭୋକ୍ତା ହେବାରୁ ସରକାରଙ୍କ ପକ୍ଷରୁ ଡେରିକି ଓ ଭାତପଡା ଠାରେ ଦୁଇଟି ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ଏହି ଦୁଇଟି ଷ୍ଟ୍ରକଚର କାର୍ଯ୍ୟ ଶେଷ ହୋଇଥିବା ବେଳେ କେବେ କାର୍ଯ୍ୟକ୍ଷମ ହେବ ତାହା ଜଣା ପଡୁନାହିଁ । ଏକା ସଙ୍ଗରେ ଏହି ୨ଟି ଷ୍ଟ୍ରକଚର କାର୍ଯ୍ୟ ଯଥା ଗଜରାଜପୁର ପଂଚାୟତର ଭାତପଡା ଓ ଡେରିକି ପଂଚାୟତର ଡେରିକି ଠାରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଭାତପଡା ଷ୍ଟ୍ରକଚରର କାର୍ଯ୍ୟ ଶେଷ ହୋଇ ଉଦଘାଟନ ହୋଇ ସାରିଥିବା ବେଳେ ଡେରିକି ଷ୍ଟ୍ରକଚର କାର୍ଯ୍ୟ ସରିଥିଲେ ବି ବିଦ୍ୟୁତ ସଂଯୋଗ କରାଯାଇନାହିଁ । ସୂଚନା ମୁତାବକ ୨୦୧୩ ଅକ୍ଟୋବର ୧୦ ତାରିଖରେ ତତ୍କାଳିନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ଦାସ, ଏମପି ବିଭୁ ପ୍ରସାଦ ତରାଇଙ୍କ ଦ୍ୱାରା ଡେରିକି ଷ୍ଟ୍ରକଚରର ଭିତି ପ୍ରସ୍ତର ସ୍ଥାପନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଭାତପଡା ଷ୍ଟ୍ରକଚରର ଭିତିପ୍ରସ୍ଥ ସ୍ଥାପନ ହୋଇ କାର୍ଯ୍ୟ ହୋଇଥିଲା । ହେଲେ ଡେରିକି ଷ୍ଟ୍ରକଚରର କାର୍ଯ୍ୟ ଚାଲିଥିବା ବେଳେ ଭାତପଡା ଡେରିକି ଷ୍ଟ୍ରକଚର କାର୍ଯ୍ୟ ଶେଷ ହୋଇଯାଇଥିବାରୁ ୨୦୧୮ ଫେବୃଆରୀ ମାସ ୨୦ ତାରିଖରେ ତତ୍କାଳିନ ଯୋଜନା ବୋର୍ଡ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । କିନ୍ତୁ ଡେରିକି ଷ୍ଟ୍ରକଚର ଦୀର୍ଘ ଦିନ ହେବ କାର୍ଯ୍ୟ ଚାଲିଥିବା ବେଳେ ଭାତପଡା ଷ୍ଟ୍ରକଚରଟି ଉଦଘାଟନ ହୋଇପଡି ରହିଛି । ଡେରିକି ଷ୍ଟ୍ରକଚରଟି କାର୍ଯ୍ୟକ୍ଷମ ହେଲେ ନାଉଗାଁ ବ୍ଳକର ୫ଟି ପଂଚାୟତ ଓ ପୁରୀ ଜିଲ୍ଲା କାକଟପୁର ବ୍ଳକର ପାଟସୁନ୍ଦରପୁର ପଂଚାୟତର ବିଦ୍ୟୁତ ଉପଭୋକ୍ତାମାନେ ଉପକୃତ ହୋଇ ପାରିବେ । ଏହି ୫ଟି ପଂଚାୟତ ଯଥା ତିରୁଣା, ଡେରିକି, କୋରୁଅ, ଓଷକଣା ଆଦି ପଂଚାୟତ ରେ ଥିବା ୬ ହଜାରରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା ବିଭିନ୍ନ ସମସ୍ୟାରେ ଶିକାର ହେଉଛନ୍ତି । ଏହି ଷ୍ଟ୍ରକଚର କାର୍ଯ୍ୟକାରି ହେଲେ ବିଦ୍ୟୁତ ସମସ୍ୟା ସୁଧାର ଆସିପାରନ୍ତା ବୋଲି ଅଂଚଳବାସୀ ମତ ପ୍ରକାଶ କରିଛନ୍ତି । ସେହିପରି ଭାତପଡା ଷ୍ଟ୍ରକଚର କାର୍ଯ୍ୟକ୍ଷମ ହେଲେ ଅଲଣା, ଗଜରାଜପୁର, ନୁଆଗାଁ, ଘୋଡାଂଶ ଆଦି ପଂଚାୟତର ବିଦ୍ୟୁତ ଉପଭୋକ୍ତା ମାନେ ବିଦ୍ୟୁତ ସମସ୍ୟାରୁ ରକ୍ଷା ପାଇ ପାରିବେ ବୋଲି ଜଣାଯାଇଛି । ଏହି ୨ ଟି ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଓଡିଶା ବିଦ୍ୟୁତ ଶକ୍ତି ପରିବହନ ନେଇଥିବା ବେଳେ ଏହାକୁ ନିର୍ମାଣ ଦାୟିତ୍ୱରେ ଗୁପ୍ତା ପାୱାରକୁ ପ୍ରଦାନ କରାଯାଇଛି । କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହି ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ କରାଯାଇଅଛି । ଷ୍ଟ୍ରକଚର ମଧ୍ୟକୁ ଆପ୍ରୋଜ ରାସ୍ତା,ଚାରିପାଖରେ ପାଚେରୀ ନିର୍ମାଣ ସହିତ ଷ୍ଟ୍ରକଚର ରେ ଯନ୍ତ୍ରାଂଶ କାର୍ଯ୍ୟ ମଧ୍ୟ ସରିଲାଣି ହେଲେ ପ୍ରକଳ୍ପର ଅବଧି ଓ ଶେଷ ତାରିଖ, ପ୍ରକଳ୍ପର ବ୍ୟୟ ଅଟକଳ,ନିର୍ମାଣକାରୀ ସଂସ୍ଥା ଆଦି ଲେଖାଥିବା ସୁଚନା ଫଳକ ଏଠାରେ ଦେଖିବାକୁ ମିଳିନାହିଁ । ଯାହା ଦ୍ୱାରା ପ୍ରକଳ୍ପର କାର୍ଯ୍ୟ ଠିକ ଭାବେ ହେଉଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଷ୍ଟ୍ରକଚର କାର୍ଯ୍ୟକ୍ଷମ ବିଷୟରେ ଜଗତସିଂହପୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ.ବିରଜା ପ୍ରସାଦ ପାଢୀଙ୍କୁ ପଚାରିବାରୁ ଡେରିକି ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ ପାଇଁ ୩୩ କେଭି ଲାଇନ କାର୍ଯ୍ୟ ଚାଲିଛି, ସେହିପରି ଭତାପଡା ଷ୍ଟ୍ରକଚରର କାର୍ଯ୍ୟ ଅଳ୍ପ କିଛି ବାକି ଥିବାରୁ କାର୍ଯ୍ୟ ଚାଲୁ ରହିଛି । କାର୍ଯ୍ୟ ସରିଲେ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ ।


