ଭଟଣା ଗ୍ରାମରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ଗାଁରେ ଚାପା ଉତେଜନା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ଥାନା ଅନ୍ତର୍ଗତ ଓଷକଣା ପଂଚାୟତର ଭଟଣା ଗ୍ରାମରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଗଣ୍ଡଗୋଳ ପରେ ଗାଁ ଚାପା ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୁମନ ନାୟକଙ୍କ ମା ପୁଅର ରକ୍ତ ଭିଜା ଡ୍ରେସ ଧରି ଥାନାରେ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୁମନଙ୍କ ମା କାମିନୀଙ୍କ ଅଭିଯୋଗ କ୍ରମେ ସୁମନ ଓ ତାଙ୍କ ସାଙ୍ଗ ସମୀର ମୁଦୁଲି ସଂଧ୍ୟାରେ ସେହି ଗ୍ରାମର ସୁମନଙ୍କ ମାମୁଁ ଘରକୁ ସ୍କୁଟରେ ଯାଉଥିଲେ । ଯାଉଥିବା ସମୟରେ ଉର୍ମିଲୋଚନ ପାଠାଗାର ନିକଟରେ ବିସ୍ମୟାନନ୍ଦ ସ୍ୱାଇଁ,ସ୍ମୃତି ରଂଜନ ସ୍ୱାଇଁ,ସତ୍ୟରଂଜନ ସ୍ୱାଇଁ,ତପୋଧନ ସ୍ୱାଇଁ,ନିତ୍ୟାନନ୍ଦ ସ୍ୱାଇଁ ଓ ଅନ୍ୟମାନେ ସଂଘବଦ୍ଧ ଭାବେ ମୋ ପୁଅର ଗାଡିକୁ ଅଟକାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ହଠାତ ମୋ ପୁଅର ଆଖିକୁ ବିସ୍ମୟାନନ୍ଦ ଏକ ରାସାୟନିକ ବିସ୍ଫୋରକ ପକାଇବାରୁ ତା ଆଖି ବନ୍ଦ ହୋଇଯାଇଥିଲା । ସେହିସମୟରେ ମୋ ପୁଅର ସାଙ୍ଗ ସମୀର ମୁଦୁଲି ଗାଡିରୁ ଓହ୍ଲାଇ କିଏ ବୋଲି ପଚାରିବାରୁ ସେମାନେ ତାଙ୍କୁ କାବୁ କରି ନେଇ କିଛି କଥା ବାହାରେ କହିବୁ ନାହିଁ ବୋଲି ଧମକ ଦେଇଥିଲେ । ଏପରିକି ଏକଥା ବାହାରେ କିଏ ଜାଣିଲେ ତୋତେ ଜୀବନରୁ ମାରୁ ଦେବାକୁ ଧମକ ମଧ୍ୟ ଦେଇଥିଲେ । ପରେ ମୋ ପୁଅକୁ ଗାଡିରୁ ବିସ୍ମୟାନନ୍ଦ ଓ ସ୍ମୃତିରଂଜନ ଟେକି ନେଇ କିଛି ଦୁରରେ ଭୁଜାଲିରେ ମୋ ପୁଅର ମୁଣ୍ଡକୁ ଚୋଟ ମାରିଥିଲେ । ସେଠାରେ ମୋ ପୁଅ ରକ୍ତ ଜୁଡିବୁଡି ଅବସ୍ଥାରେ ମରିଗଲି ବୋଲି ଚିତ୍କାର କରିଥିଲା । ସେହି ସମୟରେ ମୋ ଭାଇ ଓ ପୁତୁରାମାନେ ଆସିବାରୁ ଉଭୟ ମୋ ପୁଅ କୁ ଛାଡି ପଳାଇଥିଲେ । ବର୍ତମାନ ମୋ ପୁଅ ମରଣ ସହ କଟକ ବଡ ମେଡିକାଲରେ ସଂଗ୍ରାମ କରୁଛି । ତେଣୁ ଉକ୍ତ ଅଭିଯୋଗକୁ ଭିତିକରି ମୋତେ ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀମାନଙ୍କୁ ଆଇନାନୁଯାୟୀ ଦଣ୍ଡ ଦେବାକୁ ଦାବି କରିଛନ୍ତି । ସେହିପରି ଉକ୍ତ ଗ୍ରାମର ନିତ୍ୟାନନ୍ଦ ସ୍ୱାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବାକୁ ନେଇ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ପୋଲିସ ପକ୍ଷରୁ କେଶ ନଂ ୧୩୭/୧୯ରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି କାମିନୀ ନାୟକଙ୍କ ଅଭିଯୋଗ କ୍ରମେ ୧୩୮/୧୯ରେ ମାମାଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।