ଦିଗପହଣ୍ଡି ରେ  କୃଷକ ବିରୋଧୀ ବିଲ୍ ବିରୋଧରେ ଗଣଧାରଣା

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ବିଲ୍ ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ  ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ସିପିଆଇ,   ସି ପି ଆଇ (ଏମ) ଏବଂ କଂଗ୍ରେସ ସମର୍ଥିତ ଏ ଆଇ ଟି ୟୁ ସି , ସି ଆଇ ଟି ୟୁ , ଆଇ ଏନ୍ ଟି ୟୁ ସି ଶ୍ରମିକ ସଙ୍ଗଠନ ମାନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆଇନ ପ୍ରଣୟନ ବିରୋଧରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସିପିଆଇ(ଏମ୍) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡ଼ଙ୍ଗୀ,ଅଖିଳ ଭାରତ କୃଷକ ସଭା ର ଜିଲା କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସ, ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ତଥା ଆଇ ଏନ୍ ଟି ୟୁ ସି କାର୍ଯ୍ୟକର୍ତ୍ତା ପ୍ରଫୁଲ ପଣ୍ଡା ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଗଣଧାରଣା ଓ ପ୍ରତିବାଦ ସଭାରେ ସାମିଲ ଥିଲେ। କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍ କୁ ରଦ୍ଦ କରାଯିବା। ନୂତନ ବିଦ୍ୟୁତ୍ ବିଲ୍ – ୨୦୨୦ କୁ ପ୍ରତ୍ୟାହାର କରାଯିବା। ପେଟ୍ରୋଲ – ଡିଜେଲ ର ବର୍ଦ୍ଧିତ ମୂଲ୍ୟକୁ ହ୍ରାସ କରାଯିବା। ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତି କୁ ରଦ୍ଦ କରିବା। ଦୁଗ୍ଧ,ଦୁଗ୍ଧ ଜାତଦ୍ରବ୍ଯ,ଅଣ୍ଡା ଏବଂ ଖାଦ୍ୟ ପଦାର୍ଥ ଇତ୍ୟାଦି ଆମଦାନୀ ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କୁ ରଦ୍ଦ କରିବା ନେଇ ଉପସ୍ଥିତ ଦଳୀୟ ନେତୃବୃନ୍ଦ ତାଙ୍କ ଉଦବୋଧନ ରେ କହିଥିଲେ।  ସେହିପରି କେନ୍ଦ୍ର ସରକାରଙ୍କ କୃଷି,ଶିକ୍ଷା,ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ,କର୍ପୋରେଟ, ଫୋରେନସିକ ମେଡ଼ିସିନ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂକ୍ରାନ୍ତ ଜନବିରୋଧୀ  ବିଲ୍ ଗୁଡ଼ିକୁ ପାର୍ଲ୍ୟାମଣ୍ଟରେ ଧ୍ଵନି ମତରେ ଅନୁମୋଦନ କରିଛନ୍ତି।ଯାହାକି ଗଣତନ୍ତ୍ର ବିରୋଧୀ। କେନ୍ଦ୍ରୀୟ କୃଷକ ସଶକ୍ତିକରଣ ବିଲ୍ ରେ ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବେ।ଚାଷୀ ତାର ଉତ୍ପାଦିତ ଫସଲର ଲାଭଜନକ ଦର ନପାଇ ଅଭାବୀ ବିକ୍ରି ର ଶିକାର ହେବେ। ସରକାର ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ବାହାର ପୁଞ୍ଜିପତି ଓ ବଡ଼ ବଡ଼ ବେପାରୀ ମାନଙ୍କ ଲାଭ ପାଇଁ ନୂଆଁ କୃଷିନୀତି ରେ ବ୍ୟବସ୍ଥା କରିଛନ୍ତି। ଚାଷୀ ତାର ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ। ଚାଷୀଙ୍କ ପାଇଁ ସରକାରୀ ସ୍ତରରେ ପ୍ରଚଳିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ  (ଏମ୍ ଏସ ପି) ବ୍ୟବସ୍ଥା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ଚଳାଇଥିବା ନେଇ ପ୍ରତିବାଦ ସଭାରେ ଦଳୀୟ ନେତୃବୃନ୍ଦ ଅଭିଯୋଗ କରିଥିଲେ।  ସିପିଆଇ (ଏମ) ଗଞ୍ଜାମ ଜିଲା କମିଟି  କର୍ମକର୍ତ୍ତା  କୁରେଶୁ ପଣ୍ଡା, ସୁଶାନ୍ତ କୁମାର ଷଡଙ୍ଗୀ, ଉଜ୍ଜଳ ସାହୁ, ଭି. ସୁଦର୍ଶନ ରାଜୁ, ସିପିଆଇ ଶାଖା କମିଟି ସମ୍ପାଦକ ତପନ କୁମାର ମିଶ୍ର, ଦୈତାରି ରେଡ୍ଡୀ,ମୂଷା ବେହେରା,  ପୂର୍ବତନ କାଉନସିଲର ରସାନନ୍ଦ ରାଉତ, ଏମ୍. ବାଇନାଥ, ଏମ୍. ତ୍ରିନାଥ, ଭଗବାନ ସ୍ବାଇଁ, ଡମ୍ବୁରୁ ଧର ବେହେରା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ