ବୃଦ୍ଧି ପାଉଛି ଲୁଟେରାଙ୍କ ପାର୍ଦୁଭାବ

ହିଂଜିଳିକାଟୁ, (ଶେଷଦେବ ସାହୁ): ଗତ କିଛି ଦିନ ଧରି ହିଂଜିଳି ଥାନା ଅଂଚଳରେ ଲୁଟେରାଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ଲୁଟେରା ମାନେ ସ୍ଥାନୀୟ ପୋଲିିସ ପ୍ରଶାସନକୁ ଖୋଲା ଚ୍ୟାଲେଂଜ ଦେଇ ସିରିଜ ଲୁଟ କରି ପୋଲିସ ଆଖିରେ ଧୂଳି ଛାଟି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହେଉଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ଥାନୀୟ ପୋଲିସ ପ୍ରଶାସନ ପ୍ରତି ଜନସାଧାରଣଙ୍କ ଆସ୍ଥା ତୁଟିବାରେ ଲାଗିଛି । ପ୍ରକାଶ ଯେ, ଗୁରୁବାର ରାତିରେ ହିଂଜିଳିକାଟୁ ପୌରାଂଚଳ ସିନେମାହଲ ଛକ ସ୍ଥିତ ନୁନା ପାତ୍ର ରାତୟ ସାଢେ ୯ ଘଂଟା ସମୟରେ ନିଜ କିରାଣୀ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ବିଳମ୍ବିତ ରାତିରେ ଲୁଟେରା ମାନେ ଦୋକାନ ସଟର ତାଲା ଭାଙ୍ଗି ଦୋକାନ କ୍ୟାସ୍ ପେଢିରୁ ନଗଦ ୩ ହଜାର ୫ ଶହ ଟଙ୍କା ସମେତ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ବିଭିନ୍ନସାମଗ୍ରୀ ଲୁଟ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଦୋକାନ ମାଲିକ ଶୁକ୍ରବାର ସକାରେ ଦୋକାନ ଖୋଲିବା ସକାଶେ ଆସିବା ବେଳେ ଦୋକାନ ସଟରର ତାଲା ଭଙ୍ଗା ଯାଇଥିବା ସହ ଦୋକାନ ମଧ୍ୟରୁ ଚୋରୀ ହୋଇଥିବା ଜାଣି ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଏପରିକି ଲୁଟେରା ମାନେ ଚତୁରତାର ସହ ନୁନା ପାତ୍ରଙ୍କ ଦୋକାନ ସମ୍ମୁଖ ଭାଗ ଲିଜା କ୍ଳଥ ଷ୍ଟୋର ଓ ପଡ଼ୋଶୀ ଏକ ସିମେଂଟ ଦୋକାନ ସମ୍ମୁଖଭାଗରେ ଲାଗିଥିବା ସିସି କ୍ୟାମେରାକୁ ଭାଙ୍ଗିବା ପରେ ଲୁଟ କରିଥିବା ଜଣାପଡ଼ିଛି । ମାଣିକ ନଗର ଛକ ନିକଟରେ ଥିବା ଏକ କବାଡ଼ିଆ ଦୋକାନ ମଧ୍ୟରେ ପଶି ପ୍ରାୟ ୫ ଶହ ଟଙ୍କା ଚୋରୀ କରିବା ପରେ ସଂପୃକ୍ତ ଦୋକାନରୁ ଏକ ଶାବଳ ଚୋରୀ କରି ଶାବଳ ସାହାର୍ଯ୍ୟରେ କିରାଣୀ ଦୋକାନ ସଟର ତାଲା ଭାଙ୍ଗିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ବୁଧବାର ବିଳମ୍ବିତ ରାତିରେ କିଛି ଲୁଟେରା ସ୍ଥାନୀୟ ସହର ସିନେମାହଲ ଛକ ସ୍ଥିତ ଗୌରୀ ଜେନେରାଲ ଷ୍ଟୋରରୁ ଚୋରୀ କରିବାକୁ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନପାରି ଦୋକାନ ସମ୍ମୁଖରେ ଲାଗିଥିବା ସିସି କ୍ୟାମେରାକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ହିଂଜିଳି ଥାନା ଅଂଚଳରେ ସିରିଜ ଚୋରୀ ହେବା ଯୋଗୁଁ ଏବଂ ଏତି ପ୍ରତି ସ୍ଥାନୀୟ ପୋଲିସ ପ୍ରଶାସନ ନିରବ ସାଜୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ହିଂଜିଳି ଥାନା ଅଂଚଳରେ ଲୁଟେରା ସବଳ ଏବଂ ପୋଲିସ ପ୍ରଶାସନ ଦୁର୍ବଳ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ହିଂଜିଳି ପୋଲିସ ପକ୍ଷରୁ ସହରରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ହିଂଜିଳି ଥାନା ସିକିରି, ପଥରପୁଂଜି, ରାମଚନ୍ଦ୍ରପୁର ଗ୍ରାମରୁ ଲୁଟେରା ମାନେ ସ୍ଥାନୀୟ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଂଜ ଦେଇ ଘରର ବାରିପଟ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ପ୍ରାୟ ୩୦ ଭରି ଓଜନର ସୁନା ଅଳଙ୍କାର, ୫୦ ଭରି ଓଜନର ରୂପା ଅଳଙ୍କାର ଲୁଟ କରିଥିବା ବେଳେ ସ୍ଥାନୀୟ ପୋଲିସ ୩ ଜଣ ଏରୁଗୁଲା ସମ୍ପ୍ରଦାୟର ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୮ ଭରି ଓଜନର ସୁନା ଜବତ କରିବାରେ ସକ୍ଷମ ହୋଇଥିଲା । ଏପରିକି ହିଂଜିଳି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ପରିବା ବଜାରର ୮ ଟି ଦୋକାନରୁ ଲୁଟେରା ମାନେ ପ୍ରାୟ ୮୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଚୋରୀ କରିଥିବା ବେଳେ ସ୍ଥାନୀୟ ପୌରାଂଚଳ ଆରଏମସି ପରିସରସ୍ଥ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରକୋଷ୍ଠରୁ ଗ୍ୟାସ ସିଲିଣ୍ଡର, ନଗଦ ଟଙ୍କା ସମେତ ମୋବାଇଲ ଓ ବହୁ ମୁଲ୍ୟବାନ ସାମଗ୍ରୀ ଲୁଟ କରିଥିଲେ । ଗୁରୁବାର ଚୋରୀ ଘଟଣା ନେଇ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କହିଲେ ଘଟଣାର ତଦନ୍ତ ଚାଲିଛି ଏବଂ ଏ ନେଇ ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ