ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ପ୍ରତିବାଦ
କଟକ,(ଦୀପକ୍ କୁମାର ବେଉରା): ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା। କଟକ ବିଡାନାସୀ ନେତାଜୀନଗର ବଙ୍ଗାଳି ସାହି ବାସିନ୍ଦାମାନେ ବିଡାନାସୀ ଥାନା ପୋଲିସ୍ ସ୍ଥାନିୟ ବାସିନ୍ଦା ମାନଙ୍କୁ ବଳପୁର୍ବକ ମାଡ଼ ମାରିବା ପ୍ରତିବାଦରେ ସେଲଟର୍ ଛକଠାରେ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ବସି ରହିଥିଲେ। କୌଣସି ଗାଡିକୁ ଯିବା ଆସିବା କରାଇ ଦେଇ ନ ଥିଲେ ଉତ୍ତ୍ୟକ୍ତ ମହିଳା। ଏପରିକି ହାତରେ ପ୍ଲାକାର୍ଡ ଧରି ପୋଲିସ୍ ବିରୋଧରେ ବିଭିନ୍ନ ନାରାବାଜି ସହ ବିଡାନାସୀ ଥାନା ଅଧିକାରୀ ଙ୍କୁ ବଦଳି ପାଇଁ ଦାବି କରିଥିଲେ। ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବିଡାନାସୀ ଥାନା ପୋଲିସ୍ ସଙ୍ଗବଦ୍ଧ ଭାବେ ଆସି ଆଖିବୁଜା ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ଅଭିଯୋଗ କରିଛନ୍ତି ବଙ୍ଗାଳି ସାହି ବାସିନ୍ଦା। ଆକ୍ରମଣରେ କିଛି ପରିବାର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି। ଆଉ ବିନା ସର୍ଚ୍ଚ ୱ।ରେଣ୍ଟ୍ ରେ ସ୍ଥାନୀୟ ଲୋକଙ୍କୁ ବିନା କାରଣରେ ପୋଲିସ୍ ଉଠାଇ ନେଇଥିବା ଅଭିଯୋଗ ହୋଇଛି
ତେବେ ନେତାଜୀନଗର ଠାରେ ଏହି ଲୋକମାନେ ଦୀର୍ଘ ବର୍ଷ ଧରି କିଛି ବେଙ୍ଗଲୀ ପରିବାର ରହୁଛନ୍ତି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ବେଙ୍ଗଲୀ ସମ୍ପ୍ରଦାୟ ଲୋକମାନଙ୍କୁ ଜମି କାଗଜପତ୍ର ଦେଇ ସେଠାରେ ଅବସ୍ଥାପିତ କରିଥିଲେ। ହେଲେ କିଛି ବର୍ଷ ହେବ ଏହି ସାହି ଜମି ଉପରେ କିଛି ଜମି ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ପଡିଥିଲା। ବର୍ତ୍ତମାନ ସେ ଜମିକୁ ହାତେଇବା ପାଇଁ ପୋଲିସ୍ ର ସାହାଯ୍ୟ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଜମି ମାଫିଆମାନଙ୍କ ପ୍ରରୋଚନାରେ ବା ଇଙ୍ଗିତରେ ଥାନା ଅଧିକାରୀ ଏପରି କାଣ୍ଡ ଘଟାଇଥିବା କହିଛନ୍ତି ବଙ୍ଗାଳି ସାହି ବାସିନ୍ଦା। ଅନ୍ୟପଟେ ଏଡିସିପି ପ୍ରମୋଦ ରଥ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ପରେ ସାହିରେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ସମାଧାନ କରିଥିବା ଏଡିସିପି ସୂଚନା ଦେଇଛି।
ସହରରେ ଜମି ମାଫିଆମାନଙ୍କ ଦୌରାତ୍ମ ଦିନକୁ ଦିନ ବଢି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


