କେବେ ଦୂରହେବ କଦଳୀପଦର ଆବାସ ଯୋଜନାର ଦୁଃଖ
ଜୟପୁର, (ଓ୍ବାଇଏନ୍ଏସ୍):ଗ୍ରାମାଞ୍ଚଳରେ ଗରିବଙ୍କୁ ଆବାସ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ମୋ କୁଡିଆ ଯୋଜନା, ବିଜୁ ପକ୍କା ଘର ରହିଛି l ସରକାର ଯୋଜନା ପରେ ଯୋଜନା କରି ଚାଲିଥିବା ବେଳେ ଏହାର ଲାଭ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛିକି ନାହିଁ ସେକଥା ଦେଖିବାକୁ କାହାରି ପାଖରେ ସମୟ ନାହିଁ । ଆବାସ ଯୋଜନା ମାନ ଚିତ୍ର ରେ ସାମିଲ ହୋଇନଥିବା ଗ୍ରାମ ହୋଇଛି ବୈପାରୀଗୁଡା ବ୍ଲକ କଦଳୀ ପଦର ଗ୍ରାମ ସରକାରଙ୍କ ଏକ ଜନହିତକାରୀ ଯୋଜନା ହେଉଛି ‘ଆବାସ ଯୋଜନା’ ଏହି ଯୋଜନା ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ ପାଇଁ ଉଦ୍ଦିଷ୍ଟ । ସରକାର ମଧ୍ୟ ଚାହାନ୍ତିଯେ, ସମସ୍ତ ଗରିବ ଓ ମାଟିଘର ଥିବା ଲୋକଙ୍କ ପାଖକୁ ଏହି ଯୋଜନା ପହଞ୍ଚୁ । ଏଥିପାଇଁ ପଲ୍ଲୀସଭା, ଗ୍ରାମସଭା ସହ ଅନେକ ମାଧ୍ୟମର ରୂପରେଖ ଦେଇଛି ପଞ୍ଚାୟତରାଜ ବିଭାଗ । ଉପର ସ୍ଥରରେ ବ୍ୟବସ୍ଥା ଉତ୍ତମ ରହିଥିବା ବେଳେ ତଳ ସ୍ଥରରେ କେଉଁଠି କେମିତି ତୃଟି ରହୁଛି କେଜାଣି ବର୍ଷ ବର୍ଷ ବିତିଲେବି ଆଜି ପର୍ଯ୍ୟନ୍ତ ଅନେକ ଅସହାୟ ପରିବାର ପାଖରେ ପହଞ୍ଚିପାରୁନାହିଁ ଏହି ଯୋଜନା । ଘରବିନା ଦୂର୍ଦିନରେ ବିତୁଛି ଅନେକ ପରିବାରର ଜୀବନ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକର ଦଣ୍ଡାବାଡ଼ି ପଞ୍ଚୟତ ଅନ୍ତର୍ଗତ କଦଳୀପଦର ଗାଁରେ l ଏହି ଗାଁରେ ମୋଟ ଏକଶହ ପରିବାର ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ପ୍ରଧାନମନ୍ତ୍ରୀ ଆବାସ ପାଇଁ ନାହାଁନ୍ତି l ଗ୍ରାମର ଅଧିକାଂଶ ଲୋକେ ଗରିବ ଶ୍ରେଣୀର କୁଲି ମଜୁରୀ ହେତୁ ପକ୍କା ଘରଟିଏ କରିବା ସମ୍ଭବ ନୁହେଁ ।ବର୍ଷବର୍ଷ ଧରି ବିଭିନ୍ନ ସମୟରେ ଆବାସ ଯୋଜନାରେ ଘର ଖଣ୍ଡେ ଖଣ୍ଡେ ପାଇଁ ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରନ୍ତି ଗ୍ରାମବାସୀ l ଉକ୍ତ ଗ୍ରାମର ଅନେକ ଗରିବ ଶ୍ରେଣୀର ପରିବାର ନଡା ଛପର ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏମାନଙ୍କ ପ୍ରତି କାହାରି ନଜର ପଡିନାହିଁ । କଦଳୀପଦର ଗ୍ରାମବାସୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ଗ୍ରାମବାସୀ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ।ଏହି ଘଟଣାକୁ ନେଇ ବୈପାରୀଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀଙ୍କୁ ପଚାରିବାରୁ ସେ କହିବା ଅନୁଯାୟୀ କଦଳୀପଦର ଗାଁ ଏସ୍.ଇ.ସି.ସି. ତାଲିକାରେ ନଥିବା ଯୋଗୁଁ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି l ଚଳିତ ବର୍ଷ ନୂତନ ଭାବେ ଏସ୍.ଇ.ସି.ସି. ତାଲିକାରେ ଅତିଶୀଘ୍ର ସଂଯୋଗ କରି ଘର ଦିଆଯିବ ବୋଲି କହିଛନ୍ତି ।ପ୍ରଶାସନ ଆବାସ ମାନଚିତ୍ର ରେ କଦଳୀ ପଦର ଗ୍ରାମକୁ ସାମିଲ କରୁଛି ତାହା ଦେଖିବାକୁ ବାକି ରହିଲା ।