ରାସନକାର୍ଡରେ ନାଁ ଯୋଡିବା ପାଇଁ ନିବେଦନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ରାସନକାର୍ଡ ଖଣ୍ଡିକର ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଜଣେ ଶାରିରୀକ ଭିନ୍ନକ୍ଷମ ପରିବାରର ସଦସ୍ୟଙ୍କୁ ଏଥିରେ ସଂଯୋଗ ନକରିବା ପ୍ରଶାସନିକ ଅବହେଳାର ଚରମ ଅବସ୍ଥାକୁ ସୂଚିତ କରୁଛି । ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ ଶଙ୍ଖୁଳା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଶତକଡା ୬୫ଭାଗ ଶାରିରୀକ ଭିନ୍ନକ୍ଷମ ଅଟନ୍ତି । କୃଷ୍ଣଚନ୍ଦ୍ର ପୂର୍ବେ ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ତାଙ୍କ ହାତର ତିନିଗୋଟି ଆଙ୍ଗୁଳି ସମ୍ପୂର୍ଣ୍ଣ ଭାବେ କଟିଯାଇଥିଲା । ଏହାସହିତ ତାଙ୍କର ଡାହାଣ ଗୋଡ ଅଧାରୁ ଅଧିକ ମଧ୍ୟ ଅଚଳ । ଏସବୁ ସତ୍ତ୍ୱେ ଶରୀରର ପେଟ, ପିଠି ଆଦି ସ୍ଥାନରେ ଛୋଟଛୋଟ ଟ୍ୟୁମର ଭଳି ମାଂସ ବୃଦ୍ଧି ହେବାରେ ଲାଗିଛି । ଏସବୁ ଦୃଷ୍ଟିରୁ ତାଙ୍କୁ ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇ ରାସନ କାର୍ଡ ଖଣ୍ଡିଏ ତାଙ୍କ ନାମରେ ଦିଆଯାଇଛି । ତାଙ୍କର ଚାଷଜମି ନଥିବାବେଳେ ଅତି ହାଲକା ଭାବରେ କୌଣସି କାର୍ଯ୍ୟ ମିଳିଲେ ସେ ମୂଲଲାଗି ପରିବାର ପ୍ରତିପୋଷଣ କରନ୍ତି । ପରିତାପର ବିଷୟ ସରକାରଙ୍କ ପକ୍ଷରୁ ଯୋଗାଯାଇଥିବା ରାସନକାର୍ଡ ଖଣ୍ଡିକରେ ତାଙ୍କ ସ୍ତ୍ରୀ ଟିକିଲି ଓ ୧୦ବର୍ଷ ପୁଅର ନାମକୁ ସଂଯୋଗ କରାଯାଇନାହିଁ । ଦୁଃଖି ପାଇଁ ସବୁଦୁଃଖ ଭଗବାନ ଉଜାଡିଦେବାଭଳି କୃଷ୍ଣଚନ୍ଦ୍ରଙ୍କ ପୁଅ ମଧ୍ୟ ଏକପ୍ରକାର ଭିନ୍ନକ୍ଷମ ଭଳି । କାରଣ ପୁଅ ମୁଣ୍ଡର ପଛପଟରେ ଦିନକୁ ଦିନ ମାଂସ ବୃଦ୍ଧି ପାଇ ଏହା ଏକ ଟ୍ୟୁମର ରୂପ ଧାରଣ କଲାଣି । ସେ ଯାହାବି ହେଉ ଏପରିସ୍ଥଳେ ଭିନ୍ନକ୍ଷମ ଗରୀବ ପରିବାର ପାଇଁ ଦୁଇଜଣଙ୍କର ରାସନସାମଗ୍ରୀ ଯେ କେତେ ଜରୁରୀ ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ଏନେଇ ସେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ବିଭିନ୍ନ ମାଧ୍ୟରେ ଅଭିଯୋଗ କରୁଥିଲେ ସୁଦ୍ଧା କେହି ଶୁଣୁନାହାଁନ୍ତି । ପରିଶେଷରେ ଆଜି କୃଷ୍ଣଚନ୍ଦ୍ର ଗାଁର ଜଣେ ସ୍ୱଚ୍ଛେସେବୀଙ୍କ ଜରିଆରେ ପୁଅକୁ ଧରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେ ପାଇଥିବା ରାସନକାର୍ଡରେ ସ୍ତ୍ରୀ ଓ ପୁଅର ନାମକୁ ସଂଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଏନେଇ ଯୋଗାଣ ନିରୀକ୍ଷକଙ୍କ ମତାମତ ନେବାରୁ ସେ କୁହନ୍ତି କୃଷ୍ଣଚନ୍ଦ୍ର ଭିନ୍ନକ୍ଷମ ଆଧାରରେ ରାସନକାର୍ଡ ପାଇଥିବାବେଳେ ଯୋଗ୍ୟତା ଅନୁସାରେ ତାଙ୍କ ସ୍ତ୍ରୀ ଓ ପୁଅର ନାମକୁ ସେଥିରେ ଯୋଡାଯାଇପାରିବ । ଏନେଇ ବିଡିଓଙ୍କ ନିକଟରେ ଏକ ଦରଖାସ୍ତ ଦେଲେ କ୍ଷତ୍ରୀୟ ଅନୁଧ୍ୟାନ ପରେ ତାଙ୍କର ନାମକୁ ସଂଯୋଗ କରାଯିବ ।