ଜିଲାରେ ୩ ବି.ପି.ଏମ୍ ପଦବୀ ଖାଲି; ଜୀବିକା ମିଶନ ଲକ୍ଷ୍ୟ ହାସଲରେ ବାଧକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ସରକାର ମହିଳା ମାନଙ୍କର ସ୍ୱାବଲମ୍ବତା, ଆତ୍ମନିର୍ଭରଶୀଳତା ତଥା ଜୀବିକାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜୀବିକା ମିଶନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । କିନ୍ତୁ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରଶସ୍ତ କ୍ଷେତ୍ରରେ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀଙ୍କ ଅଭାବ ଲକ୍ଷ୍ୟ ହାସଲରେ ବାଧକ ସାଜିଛି । ଉଦ୍ରକ ଜିଲାର ୩ଟି ବି.ପି.ଏମ୍ ପଦବୀ ଖାଲି ପଡିଥିବା ସହିତ ଅନେକ ସଂଖ୍ୟକ ବି.ଏଲ୍.ସି(ବ୍ଳକ ସ୍ତରୀୟ ସଂଯୋଜକ) ପଦବୀ ଖାଲି ପଡିଛି । ମାତ୍ର ୩ ଜଣ ବି.ପି.ଏମଙ୍କୁ ନେଇ ୭ଟି ବ୍ଲକରେ ଜୀବିକା ମିଶନ କାର୍ଯ୍ୟ ଚାଲିଛି । ଏହା ଦ୍ୱାରା ମିଶନଶକ୍ତିର ତୃଣମୂଳ ସ୍ତରୀୟ କର୍ମକର୍ତ୍ତା ମନୋନୟନ ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟର ସୁପରିଚାଳନା ଓ ତଦାରଖ ସଠିକ୍ ରୂପେ କରାଯିବା କଷ୍ଟସାଧ୍ୟ ହୋଇପଡିଛି । ଉପରିସ୍ଥ ଅଧିକାରୀ ମାନଙ୍କ ତଦାରଖ ଅଭାବରୁ ତୃଣମୂଳ ସ୍ତରୀୟ କର୍ମଚାରୀ ମାନେ ଲଗାମଛଡା ହୋଇ ବିଭିନ୍ନ ଅନିୟମିତତା କାର୍ଯ୍ୟରେ ସଂପୃକ୍ତ ରହୁଥିବା ଅଭିଯୋଗ ହୋଇଛି । ପାରିତୋଷିକ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଗୁରୁତ୍ୱ ଓ ପାଦୁର୍ଭାବ ବଢି ଚାଲିଥିବା ବେଳେ ଗଣତାନ୍ତ୍ରିକ ଉପାୟରେ ଜି.ପି.ଏଲ.ଏଫ ଓ ବି.ଏଲ୍.ଏଫ କର୍ମକର୍ତ୍ତା ଓ ପରିଚାଳନା କମିଟି ସଭ୍ୟା ମାନଙ୍କର ଗୁରୁତ୍ୱ ଗୌଣ ହୋଇଯାଉଛି । ଜିଲାର ଏପରି କର୍ମଚାରୀ ମରୁଡି ସ୍ଥିତିରେ ଓଡିଶା ସରକାରଙ୍କ ପଞ୍ଚାୟତରରାଜ ଓ ପାନୀୟ ଜଳ ବିଭାଗର ଓଡିଶା ଜୀବିକା ମିଶନ ଚିଠି ନଂ-୧୪୦୮/ତା-୮-୧୦-୨୦ରେ ଏକ ବଦଳି ଆଦେଶ ପ୍ରକାଶ ପାଇଛି । ଯେଉଁଥିରେ ୭ ଜଣ ବି.ପି.ଏମ୍, ୧୨ ଜଣ ବି.ଏଲ୍.ସି, ୪ ଜଣ ୱାଇ.ପି(ୟୁଥ୍ ପ୍ରଫେସନ) ଜିଲା ବାହାରକୁ ବଦଳି ଆଦେଶ ହୋଇଛି । ଏଥିରେ ଭଦ୍ରକ ଜିଲାର ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ବି.ପି.ଏମ୍ଙ୍କର ରେଢାଖୋଲ ବ୍ଲକ(ସମ୍ବଲପୁର), ଧାମନଗରରୁ ଜଣେ ବି.ଏଲ୍.ସିଙ୍କର କୋରେଇ(ଯାଜପୁର ଜିଲା)କୁ ବଦଳି ଆଦେଶ ହୋଇଥିବା ବେଳେ ବୌଦ୍ଧରୁ ଜଣେ ବି.ଏଲ୍.ସି ବାସୁଦେବପୁର ବ୍ଲକକୁ ବଦଳି ଆଦେଶ ପ୍ରକାଶ ପାଇଛି । ଜଣେ ବି.ଏଲ୍.ସିଙ୍କୁ ଭଦ୍ରକ ଜିଲାରୁ ଅନ୍ୟତ୍ର ବଦଳି କରାଯାଇ ଆଉ ଜଣଙ୍କୁ ଭଦ୍ରକକୁ ଦିଆଯାଇଥିବା ବେଳେ ଜିଲାର ୩ଟି ବି.ପି.ଏମ୍ ପଦବୀ ଖାଲିଥିବା ବେଳେ ଆଉ ଜଣେ ବି.ପି.ଏମ୍ଙ୍କୁ ଅନ୍ୟ ଜିଲାକୁ ବଦଳି କରାଯାଇ ତାଙ୍କ ବଦଳରେ ଆଉ କାହାକୁ ଭଦ୍ରକକୁ ଦିଆଯାଇନଥିବାରୁ ଜିଲାବାସୀ ହତାସ ହୋଇଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।


