ବରୁଣେଶ୍ୱର ପୀଠକୁ କଂକ୍ରିଟ ରାସ୍ତା ପାଇଁ ଦାବି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଆକୁଲିକଣା ଠାରେ ଥିବା ପ୍ରସିଦ୍ଧ ଶୈବକ୍ଷେତ୍ର ବରୁଣେଶ୍ୱର ମହାଦେବଙ୍କ ନିକଟକୁ ସବୁଦିନିଆ କଂକ୍ରିଟ ରାସ୍ତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଉକ୍ତ ଶୈବପୀଠକୁ ଆକୁଲଣା ସମେତ ସୈସଲାପୁର, ଭୁଷୁକା, ସୁରୁବଣ, ହାଜିପୁର, ପୁରସ୍ତମପୁର, ରାଢୋ ପ୍ରମୁଖ ଗ୍ରାମର ଶହଶହ ଶ୍ରଦ୍ଧାଳୁ ଦୈନନ୍ଦିନ ଆସିଥାଆନ୍ତି । ଏହାଛଡା ସଂକ୍ରାନ୍ତ, ଅମାବାସ୍ୟ, ପୂର୍ଣ୍ଣିମା ଓ ବିଭିନ୍ନ ପର୍ବପର୍ବାଣି ସହିତ ସପ୍ତାହର ପ୍ରତ୍ୟକ ସୋମବାର ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ଗ୍ରାମ ସନିକଟ ଚାଷକ୍ଷେତ୍ର ମଝିରେ କେଉଁ ଆବାହନ ମାନ କାଳରୁ ବାବା ବରୁଣେଶ୍ୱର ପୂଜା ପାଇ ଆସୁଛନ୍ତି । ବାବାଙ୍କର ମହିମା ଅପାର ଥିବାବେଳେ ଉକ୍ତ ପୀଠର ଉନ୍ନତିକରଣ ପାଇଁ ପୂର୍ବରୁ କିଛି ସରକାରୀ ସହାୟତା ମିଳିଥିଲେ ସୁଦ୍ଧା ସବୁଦିନିଆ ପକ୍କା ରାସ୍ତାଟିଏ ଏଯାଏଁ ହୋଇପାରିନାହିଁ । ଯଦିଓ ମୁଖ୍ୟ ରାସ୍ତା ଠାରୁ ପୀଠକୁ ପ୍ରାୟ ୨୦୦ମିଟର ଯାଏଁ ଏକ ମାଟିରାସ୍ତା ଅଛି ତାହା ଅସରାଏ ବର୍ଷା ହେଲେ ଯାତାୟତ ଅନୁପଯୋଗୀ ହୋଇପଡୁଛି । ତେଣୁ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ଯାତାୟତ ଉପଯୋଗୀ ପାଇଁ ପକ୍କାରାସ୍ତା ନିର୍ମାଣ ସକାଶେ ଗ୍ରାମର କିର୍ତ୍ତନ ଧଳ, ପ୍ରତାପ ସାମଲ, ଦୁର୍ଗାଚରଣ ସ୍ୱାଇଁ, ସୁବାଷିସ ଧଳ, ସୁଶାନ୍ତ ସାମଲ, ଦୀପକ ଲେଙ୍କା, ରାଜେଶ ଧଳ, ଜଗନ୍ନାଥ ସାମଲ ପ୍ରମୁଖ ଦାବି କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅଲିଭା ନାୟକଙ୍କ ମତାମତ ନେବାରୁ ଆକୁଲିକଣା ଗ୍ରାମ ସମେତ ବାବା ବରୁଣେଶ୍ୱର ପୀଠର ଉନ୍ନତି ପାଇଁ ପଞ୍ଚାୟତ ସବୁବେଳେ ଦୃଷ୍ଟି ଦେଉଥିବାବେଳେ ଯଥାଶୀଘ୍ର ପୀଠକୁ ପକ୍କାରାସ୍ତା ନିର୍ମାଣ ହେବବୋଲି ସୂଚନା ଦେଇଥିଲେ ।


