‘ଆମ ଗାଁ ଆମ ବିକାଶ’ ଯୋଜନାରେ ବିଲ କରିବା ପାଇଁ ମସୁଧା
ନାଉଗାଁ,(ଯୁଗାବ୍ଦ ନୁ୍ୟଜ୍) : ଗ୍ରାମାଂଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି । ହେଲେ କେଉଁଠି ଏହି ଯୋଜନା କାର୍ଯ୍ୟକାରୀ ହେଉଛି ତାହା ସଠିକ ଜଣାପଡୁନାହିଁ । ଗୋଟିଏ ଯୋଜନାରେ ପ୍ରକଳ୍ପ ଅନୁମୋଦନ ହୋଇଥିବା ବେଳେ ଆଉ ଗୋଟିଏ ଯୋଜନାରେ ପ୍ରକଳ୍ପ ଅନୁମୋଦନ କରାଯାଇ ବିଲ କରିବା ପାଇଁ ମସୁଧା ଚାଲୁଥିବା ଜଣାଯାଇଛି । ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ବାଂଶ ପଂଚାୟତର ଚାନ୍ଦପୁରା ଗୋଚ୍ଛାୟତ ସାହି ପୋଖରୀରେ । ସୂଚନା ଅନୁସାରେ ଉକ୍ତ ପଂଚାୟତରେ ୨୦୧୮-୧୯ ଆର୍ଥୀକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ ପୋଖରୀକୁ ପୁନଃ ଉଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଯାହାର କୋର୍ଡ ନଂ ୨୪୧ଜି୦୦୪୦୧୫/ଡବ୍ଳୁ ଏଚ/୩୦୯୭୮୧୨ ଥିଲା । ଏହି ଯୋଜନା ମାଧ୍ୟମରେ ଜୁଲାଇ ୨୦୧୮ରେ ଉକ୍ତ ପୋଖରୀ ଖନନ କାର୍ଯ୍ୟ ହେଉଥିଲା । କିନ୍ତୁ ସରକାରଙ୍କ ନିୟମାନୁସାରେ ଏନଆରଜିଏସ କାର୍ଯ୍ୟ ଜବକାର୍ଡଧାରୀଙ୍କ ଦ୍ୱାରା କରାଯିବା ସହିତ ଜୁନ ମାସ ୧୫ ତାରିଖ ପୂର୍ବରୁ ମାଟି କାମ ଶେଷ କରିବାର ନିୟମ ରହିଛି । କିନ୍ତୁ ଏହି ପୋଖରୀକୁ ସଂପୃକ୍ତ ଠିକାଦାର ଜୁଲାଇ ମାସରେ ମେସିନ ଦ୍ୱାରା ଖୋଳୁଥିବା ବଳେ ବିଭିନ୍ନ ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ ପାଇଥିଲା । ଫଳରେ ବିଭାଗ ପକ୍ଷରୁ ଏହି ପୋଖରୀର ବିଲ କରାଯାଇ ନଥିଲା । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ ଜାନୁଆରୀ ୨୦୧୯ରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ନାଉଗାଁ ବ୍ଳକର ୧୫୪ଟି ପ୍ରକଳ୍ପକୁ ମଂଜୁର କରାଯାଇଥିଲା । ଏହି ଯୋଜନାରେ ଉକ୍ତ ବ୍ଳକର ୧୬ଟି ପଂଚାୟତର ପ୍ରତ୍ୟେକ ପଂଚାୟତକୁ ୨୫ ଲକ୍ଷ ହିସାବରେ ୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା । ସରକାରଙ୍କ ନିୟମାନୁସାରେ ଏହି ଯୋଜନା ମାଧ୍ୟମରେ ଯେଉଁ ସବୁ ପ୍ରକଳ୍ପ ନିର୍ମାଣ କରାଯିବ ପ୍ରଥମେ ପ୍ରକଳ୍ପ ନିର୍ମାଣ କରିବା ପୂର୍ବରୁ ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ, ସଂପୃକ୍ତ ଯନ୍ତ୍ରୀ, ପଂଚାୟତ ପ୍ରତିନିଧି ଆଦିଙ୍କ ସହିତ ପ୍ରକଳ୍ପ ନିର୍ମାଣ ପୂର୍ବର ଫଟୋ ପ୍ରଦାନ କରାଯିବ । ପ୍ରକଳ୍ପ ନିର୍ମାଣ ହେବା ଆଗରୁ ସୂଚନା ଫଳକର ସବିଶେଷ ତଥ୍ୟ ପ୍ରଦାନ କରାଯିବ । କିନ୍ତୁ ବାଂଶ ପଂଚାୟତରେ ଥିବା ଗୋଚ୍ଛାୟତ ସାହି ପୋଖରୀକୁ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ କରାଯାଇ ପୋଖରୀର ନାମ ଖୋଳା ପୋଖରୀର ପୂର୍ଣ୍ଣ ଉଦ୍ଧାର ଭାବେ ପ୍ରକଳ୍ପ ମଂଜୁର କରାଯାଇଛି । ଏହି ପ୍ରକଳ୍ପର ସୂଚନା ଫଳକ ତଥ୍ୟ ଅନୁସାରେ କାର୍ଯ୍ୟ ଆରମ୍ଭ ତାରିଖ ୨ ମାର୍ଚ୍ଚ ୨୦୧୯ ରହିଥିବା ବେଳେ କାର୍ଯ୍ୟ ଶେଷ ତାରିଖ ୨ ମେ ୨୦୧୯ ରଖାଯାଇଛି । ସେହିପରି ପ୍ରକଳ୍ପର ଅଟକଳ ମୂଲ୍ୟ ୩ ଲକ୍ଷ ଟଙ୍କା ଥିବା ବେଳେ କାର୍ଯ୍ୟ ନିର୍ବାହୀ ସଂସ୍ଥା ପଂଚାୟତ ସମିତି ବୋଲି ଦର୍ଶାଯାଇଛି । କିନ୍ତୁ ଏ ବିଷୟରେ ପ୍ରଶାସନିକ ଅଧିକାରୀ ଜାଣି ନଥିବା ମତ ପ୍ରକାଶ କରିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଅଗୋଚରରେ ଓ ଜନସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ଏକ ସୂଚନା ଫଳକ ‘ଆମ ଗାଁ ଆମ ବିକାଶ’ ଲଗାଇ ଦେଇ ୩ ଲକ୍ଷ ଟଙ୍କାର ବିଲ କରିବା ପାଇଁ ମସୁଧା ଚଳାଇଥିବା ଜଣାଯାଇଛି । ଯାହାକି ଖୋଲାଖୋଲି ଭାବେ ସରକାରୀ ନିୟମକୁ ଉଲଘଂନ କରୁଥିବା ବେଳେ କେବଳ ପୋଖରୀ ହୁଡାକୁ ଗୋଟିଏ ଦିନ ସଫା କରାଯାଇ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି । ଉକ୍ତ ପୋଖରୀକୁ ଏନଆରଜିଏସରେ ଖନନ କରାଯାଇଥିବା ବେଳେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ନିୟମକୁ ଉଲଘଂନ କରି ବିଲ କରିବା ମସୁଧା ଚଳାଇଥିବା ବେଳେ କାର୍ଯ୍ୟର ସ୍ୱଚ୍ଛତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସିତାଂଶୁ ବିଶ୍ୱାଳଙ୍କୁ ପଚାରିବାରୁ ଏହି କାର୍ଯ୍ୟ କେବେ ହୋଇଛି କିଏ କରିଛି ସେ ଏହି ବିଷୟରେ ଜାଣି ନଥିବା ପ୍ରକାଶ କରିଛନ୍ତି । ସେହିପରି ପଂଚାୟତ ଦାୟିତ୍ୱରରେ କନିÂ ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁଙ୍କୁ ପଚାରିବାରୁ ସେ ଖୋଳା ପୋଖରୀ ପୂର୍ଣ୍ଣ ଉଦ୍ଧାର ପ୍ରକଳ୍ପ ଅନୁମୋଦନ ହୋଇଥିବା ଜାଣିଥିବା କହିଥିବା ବେଳେ ଉକ୍ତ କାର୍ଯ୍ୟ କିଏ କରୁଛି ସେ ବିଷୟରେ ସେ ଅବଗତ ନଥିବା ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।