ଇମ୍ଫା କବଳରୁ ୧୩ ଏକର ଜମି ମୁକ୍ତ ପାଇଁ ସ୍ମାରକପତ୍ର ପ୍ରଦାନ
ଚୌଦ୍ଵାର,(ଦୀପକ୍ କୁମାର ବେଉରା) :ଇମ୍ଫା କବଳରୁ ୧୩ ଏକର ଜମି ମୁକ୍ତ ପାଇଁ ଦାବୀ । ଚୌଦ୍ୱାର ସହର ମଧ୍ୟରେ କପାଳେଶ୍ୱର ମୌଜା ରେ ଥିବା ବହୁ ମୂଲ୍ୟବାନ ତେର ଏକର ଜମିକୁ ଇମ୍ଫା ଜବର ଦଖଲ ରୁ ମୁକ୍ତ କରିବା ପାଇଁ ଟାଙ୍ଗୀ ଚୌଦ୍ୱାର ସଚେତନ ନାଗରିକ ମଞ୍ଚ ଦାବି କରିଛନ୍ତି ।ମଞ୍ଚର ଏକ ପ୍ରତିନିଧି ମଣ୍ଡଳୀ ଆଜି ଟାଙ୍ଗୀ ଚୌଦ୍ୱାର ତହସିଲଦାର ଙ୍କୁ ଏସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।କପାଳେଶ୍ୱର ମୌଜା ର ଏହି ଜମିକୁ ୨୦୦୩ ମସିହାରେ ଚଞ୍ଚକତା କରି ଇମ୍ଫା ନିଜ ନାମରେ କରାଇନେଇଥିଲେ ।ପରେ ଜନସାଧାରଣ ଏସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକମାନେ କଟକ ଉପଜିଲ୍ଲାପାଳ ଙ୍କ କୋର୍ଟରେ ଅପିଲ ଦାଖଲ କରିଥିଲେ ।ଉପଲିଲ୍ଲାପାଳ ଇମ୍ଫାର ମ୍ୟୁଟେସନ ଖାରଜ କରିବା ସହ ଜମିକୁ ସରକାରୀ ଖାତାକୁ ଫେରାଇନେବାକୁ ନିର୍ଦେଶ ଦେଇଥିଲେ ପରେ ଇମ୍ଫା କତ୍ତୃପକ୍ଷ ଏହାକୁ ଚାଲେଞ୍ଜ କରି ଜିଲାପାଳ ଓ ରାଜସ୍ୱ ପାର୍ଷଦ ସଭ୍ୟ ଙ୍କ ନିକଟରେ ଆପିଲ କରିଥିଲେ । ଉଭୟ କୋର୍ଟ ଉପଜିଲ୍ଲାପାଳ ଙ୍କ ନିର୍ଦେଶକୁ କାୟମ ରଖିଥିଲେ । ପରେ ଟାଙ୍ଗୀ ଚୌଦ୍ୱାର ତହସିଲଦାର ସେହି ୧୩.ଏକର ୦୭ଡ଼ିସିମିଲ ଜମିକୁ ସରକାରୀ ଖାତାକୁ ଫେରାଇଆଣିଥିଲେ । ହେଲେ ଏହି ଜମି ଉପରେ ଇମ୍ଫା କତ୍ତୃପକ୍ଷ ବେଆଇନ ଭାବେ ଘର, ରାସ୍ତା, ଆଦି ନିର୍ମାଣ କାର୍ଯ୍ୟ କରୁଛନ୍ତି । ତହସିଲଦାର ଏପର୍ଯ୍ୟନ୍ତ ସେହି ଜମିକୁ ଦଖଲମୁକ୍ତ କରିନଥିବାରୁ ଇମ୍ଫା କତ୍ତୃପକ୍ଷ ଏପରି ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ତୁରନ୍ତ ଏହି ଜମିକୁ ଇମ୍ଫା ଜବର ଦଖଲ ରୁ ମୁକ୍ତ କରିବା ପାଇଁ ଟାଙ୍ଗୀ ଚୌଦ୍ୱାର ସଚେତନ ନାଗରିକ ମଞ୍ଚ ଦାବି କରିଛନ୍ତି ।ସ୍ମାରକପତ୍ର ଗ୍ରହଣ କରି ଅତିରିକ୍ତ ତହସିଲଦାର ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।ଏଠାରେ ସୂଚନାଯୋଗ୍ୟ ଏହି ତେର ଏକର ଜମି ଉପରେ ଓଡ଼ିଶାର ଏକମାତ୍ର ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କଳିଙ୍ଗ ପବ୍ଲିକ ସରକାରୀ ହାଇସ୍କୁଲ ଅବସ୍ତିତ ଅଛି ।