ଅପହୃତା ନାବାଳିକା ବାଙ୍ଗାଲୋରରୁ ଉଦ୍ଧାର, ଅପହରଣକାରୀ ଗିରଫ
ଭଦ୍ରକ, : ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ତିହିଡ଼ି ପୁରୁଣାହାଟରୁ ଅପହୃତ ହୋଇଥିବା ଜଣେ ନାବାଳିକାକୁ ସୋମବାର ତିହିଡ଼ି ପୋଲିସ ବାଙ୍ଗାଲୋରର ସୁଦାମ ନଗର ଅଞ୍ଚଳରୁ ଉଦ୍ଧାର କରିଛି । ଏଥିସହ ପୋଲିସ ଅପହରଣକାରୀ ଯୁବକ ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମର ପ୍ରକାଶ ମହାଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ନାବାଳିକା ବାପାଙ୍କ ଟେଣ୍ଟ ହାଉସରେ ପ୍ରକାଶ କର୍ମଚାରୀ ଭାବେ କାମ କରୁଥିଲେ । ଗତ ଜୁଲାଇ ମାସ ୨୮ ତାରିଖରେ ପ୍ରକାଶ ନାବାଳିକାକୁ ଅପହରଣ କରି ନେଇଥିଲେ । ନାବାଳିକା ଅପହୃତ ହୋଇଥିବା ତାଙ୍କ ବାପା ଜାଣିବା ପରେ ତିହିଡ଼ି ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ୩୩୪/୧୯ଏକ ମକଦ୍ଦମା ରୁଜୁ କରି ଅପହରଣକାରୀକୁ ଗିରଫ କରିବାକୁ ଉଦ୍ୟମ ଚଳାଇଥିଲେ । ତେବେ ପ୍ରକାଶ ବାଙ୍ଗାଲୋରରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ପୋଲିସ ବାଙ୍ଗାଲୋରର ସୁଦାମ ନଗରରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅପହରଣକାରୀ ପ୍ରକାଶକୁ ଧରିବାରେ ସକ୍ଷମ ହୋଇଥିଲେ । ପୋଲିସ ପ୍ରକାଶକୁ ଡାକ୍ତରୀ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରିଛି । ନାବାଳିକାଙ୍କୁ କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ଼ କରାଯାଇଛି ।


