ପୁଣି ଆରମ୍ଭ ହେଲା ବେଆଇନ ରାଜସ୍ୱ ଫାଙ୍କି ଖଣିଜ କାରବାର ;କଷ୍ଟୋମ୍ ବିଭାଗ ଦ୍ୱାରା ଧରାପଡିଲା ପାରାଦ୍ୱିପ ବନ୍ଦରରେ ଖଣିଜ ବୋଝେଇ ଜାହାଜ

ଯୋଡା,(ସମୀର କୁମାର ଦାସ): ଓଡିଶା ରାଜ୍ୟର ଖଣି ଦୁର୍ନୀତି ସାରା ଦେଶରେ ହଇଚଇ ସୃଷ୍ଟିକରି ଚର୍ଚ୍ଚାର ପରିସରକୁ ଆସିବାପରେ ପୁଣି ଲୋକ ଲୋଚନକୁ ଆସିଛି କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ଖଣିଜ କାରବାର । ପ୍ରଥମେ ଏମ.ବି. ସାହା କମିଶନ ଓ ପରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ସେନ୍‌ଟ୍ରାଲ ଏମ୍ପାୱାର୍ଡ କମିଟି  ଖଣି ଦୁର୍ନିତିର ବ୍ୟାପକ ଯାନ୍‌ଚ କରିଥିଲେ । ଖଣି ଅନିୟମିତତା ହେତୁ ବେଆଇନ ଖଣି ଖନନ କରିଥିବା ଖଣି ଲିଜ୍‌ଧାରୀ ମାନେ ହଜାର ହଜାର କୋଟି ଟଙ୍କାର ଜରିମାନା ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ପଇଠ କରିଥିଲେ । ଏହା ସତ୍ୱେ ମଧ୍ୟ ଖଣି ଦୁର୍ନୀତି କୁ ସମ୍ପୁର୍ଣ୍ଣଭାବେ ରକାଯାଇ ପାରିନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାରାଦ୍ୱିପ ବନ୍ଦରଠାରେ କଷ୍ଟୋମ ବିଭାଗ ଦ୍ୱାରା ଏକ ରପ୍ତାନିକାରୀ ସଂସ୍ଥା ଧରାପଡିବା ଘଟଣା ଖଣି ଦୁର୍ନୀତିକୁ ପୁନଃଉଜ୍ଜିବିତ କରିଛି । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାରାଦ୍ୱିପ ବନ୍ଦରଠାରେ ଏମ୍‌ଭି ମ୍ୟାଗନମ୍ ଫର୍ଚ୍ୟୁନ୍ ନାମକ ଏକ ଜାହଜରେ ପ୍ରାୟ ୫୨ ହଜାର ୫୧ ମେଟ୍ରିକ୍ ଟନ୍ (୫୨,୦୫୧ ଏମ୍‌.ଟି) ର ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିଲା । ଏହି ଲୁହାପଥରକୁ ବି.ଏସ୍‌. ମିନେରାଲ ନାମକ ଏକ ରପ୍ତାନିକାରୀ ସଂସ୍ଥା ପକ୍ଷରୁ ରପ୍ତାନି କରାଯାଉଥିଲା । ଏକ୍ସାଇଜ୍ ଏବଂ କଷ୍ଟୋମ୍ସ ବିଭାଗ ପକ୍ଷରୁ ବିଭିନ୍ନ ରପ୍ତାନିକାରୀ ସଂସ୍ଥା ଗୁଡିକ ଉପରେ ଚଢାଉ କରାଯିବାପରେ ଉକ୍ତ ଜାହାଜରେ ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡର ରାଜସ୍ୱ ଫାଙ୍କି ଘଟଣା ବିଭାଗ ଜାଣିବାକୁ ପାଇଥିଲା ଏବଂ ବିଭାଗ ପକ୍ଷରୁ ବୋଝେଇ ହୋଇଥିବା ଖଣିଜକୁ ଅବିଳମ୍ବେ ଜବତ କରାଯାଇଥିଲା । ପରେ ୮ କୋଟି ୭ ଲକ୍ଷ ୨୬ ହଜାର ୩୧୪ ଟଙ୍କାର ଜରିମାନା ଏବଂ ୧ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେନ୍‌ଟି ଲାଗୁ କରାଯାଇଥିଲା । ୫ କୋଟି ୪୦ ଲକ୍ଷ ଟଙ୍କାର ବଣ୍ଡ ପାଇବାପରେ ଉକ୍ତ ଜାହାଜକୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବାପାଇଁ ଅନୁମତି ଦିଆଯାଇଥିଲା ।ଏହିପରି ପାରାଦ୍ୱିପ ବନ୍ଦରଠାରେ ବହୁ ରପ୍ତାନିକାରୀ ସଂସ୍ଥାମାନେ ରାଜସ୍ୱ ଫାଙ୍କି କରି ଲୁହାପଥରକୁ ବେଆଇନ ଭାବେ ଅନ୍ତରାଷ୍ଟ୍ରୀୟ ବଜାରକୁ ରପ୍ତାନି କରୁଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଏହି ଲୁହାପଥର ସୁନ୍ଦରଗଡ ଜିଲା କୋଇଡା ଖଣି ମଣ୍ଡଳ ଓ କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରୁ ପରିବହନ ହୋଇ ବିଦେଶ ରପ୍ତାନି ପାଇଁ ପାରାଦ୍ୱିପ ବନ୍ଦରକୁ ଯାଇଥିଲା । ଶତକଡା ୫୭ ପ୍ରତିଶତରୁ କମ୍ ଥିବା ଲୌହାଂଶ ଖଣିଜକୁ ବିଦେଶକୁ ରପ୍ତାନିବେଳେ କର ନିଶୁଳ୍କ କରାଯାଇଥାଏ । ଶତକଡା ୫୮ ପ୍ରତିଶତରୁ ଉର୍ଦ୍ଦ୍ୱ ଲୌହାଂଶ ଯୁକ୍ତ ଖଣିଜ ରପ୍ତାନିରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍‌) ଦ୍ୱାରା ନିର୍ଦ୍ଧାରିତ ଖଣିଜ ମୂଲ୍ୟର ଶତକଡା ୩୦ ପ୍ରତିଶତ ରପ୍ତାନି କର ଦେବାକୁ ପଡିଥାଏ । ଏଠାରେ ପ୍ରଶ୍ନ ଉଠେ ଯେ, ନିମ୍ନମାନର ଲୁହାପଥର ବୋଲି ଦର୍ଶାଇ ଉନ୍ନତ ମାନର ଲୁହାପଥର ବିଭିନ୍ନ ଖଣିରୁ ରପ୍ତାନି ହେଉଥିଲା କିପରି । ବିଭିନ୍ନ ଖଣି ମଣ୍ଡଳରେ ଅବସ୍ଥାପିତ ଥିବା ଖଣି ଯୁଗ୍ମ ନିର୍ଦେଶକ, ଉପ ନିର୍ଦେଶକ, ଖଣି ଅଧିକାରୀ, ଖଣି ନିରୀକ୍ଷକଙ୍କ ଅଗୋଚରରେ ଏହା ହେଲା କିପରି । ଏହା ସେମାନଙ୍କର କାର୍ଯ୍ୟ ଦକ୍ଷତାକୁ ସନ୍ଦେହ ଘେରରେ ରଖିଛି । ତେଣେ ଏନେଇ ଯୋଡାସ୍ଥିତ ଯୁଗ୍ମ ନିର୍ଦେଶକ ସଲିଲ କୁମାର ବେହେରା ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସେ ଏହି ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି । ତେବେ ସୂତ୍ରରୁ ଜଣାପଡିଛି ଯେ, ଏହି ବେଆଇନ ଖଣିଜ କାରବାରର ଚେର କେନ୍ଦୁଝର ଠାରୁ ଉପାନ୍ତର ଅନ୍‌ଚଳ ବଡବିଲ ପର୍ଯ୍ୟନ୍ତ ଲମ୍ବିଛି । ବଡବିଲରେ ଜୈନେକ ଅଣ ଓଡିଆ ବ୍ୟବସାୟ ଏଥିରେ ସିଧାସଳଖ ଭାବେ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି । ଏହି ବ୍ୟବସାୟୀଙ୍କ ଯୋଡା ଯୁଗ୍ମ ନିର୍ଦେଶାଳୟରେ ଖଣିଜ କିଣା ବିକାର ଟ୍ରେଡିଂ ଲାଇସେନ୍ସ ଥିବା ଜଣାପଡିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବେଆଇନ ଖଣିଜ କାରବାରର ଉତ୍ସ ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ