କେନ୍ଦ୍ରାପଡାରେ ସ୍ଥାୟୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଯୋଗଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ସ୍ଥାୟୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଗତ ୨୦୧୫ମସିହା ଡିସେମ୍ବରମାସ ୧ତାରିଖରେ କେନ୍ଦ୍ରାପଡାରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ଜିଲ୍ଲାର ପ୍ରଥମ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଗିରିଜା କୁମାର ମହାନ୍ତି ଯୋଗଦେଇ ଗତ ୨୦୧୭ମସିହା ଫେବୃୟାରୀମାସ ୨୮ତାରିଖରେ ଅବସର ଗ୍ରହଣ କରିଥିଲେ । ସେହିଦିନ ଠାରୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଦାୟୀତ୍ୱ ନିର୍ବାହ କରି ଆସୁଥିଲେ । ପରବର୍ତ୍ତି ସମୟରେ ଉଦୟ ନାଥ ଜେନା ୨୦୧୯ ମସିହା ଅଗଷ୍ଟମାସରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଏଠାରେ ଯୋଗଦେଇ ୨୦୨୦ମସିହା ଜାନୁଆରୀମାସ ୩୧ତାରିଖରେ ଅବସର ଗ୍ରହଣ କରିଥିଲେ । ସେହିଦିନ ଠାରୁ ପୁନର୍ବାର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ଦୀର୍ଘଦିନର ଦାୟୀତ୍ୱ ମଧ୍ୟରେ ଶ୍ରୀ ଦାସ ସାମାଜିକ ସୁରକ୍ଷା ବିଭାଗକୁ ଆଗେଇ ନେବାସହ ବହୁବିଧ କାର୍ଯ୍ୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଭିନ୍ନକ୍ଷମଙ୍କୁ ସଶକ୍ତ କରିବା,କିନ୍ନରମାନଙ୍କୁ ଚିହ୍ନଟ ଓ ଥଇଥାନ କରିବା,ସ୍ୱତନ୍ତ୍ର ବିଦ୍ୟାଳୟରେ ସ୍ଥାୟୀ ନିଯୁକ୍ତି କରାଇବା,ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ଜିଲ୍ଲା ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇଥିବାରୁ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ତାଙ୍କୁ ଏହି ଜିଲ୍ଲାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଜ୍ଞପ୍ତି ସଂଖ୍ୟା ୭୫୬୬ ତା ୬.୧୧.୨୦୨୦ରିଖ ଅନୁଯାଇ ଶ୍ରୀ ଦାସଙ୍କୁ ଏହି ଜିଲ୍ଲାର ସ୍ଥାୟୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ କେନ୍ଦ୍ରାପଡାର ସ୍ୱତନ୍ତ୍ର ବିଦ୍ୟାଳୟ ସମୁହ,ବିଭିନ୍ନ ସ୍ୱେଛାସେବୀ ସଂଗଠନ,ଜିଲ୍ଲା ଷ୍ଟଫ କମିଟି ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀମାନେ ଶ୍ରୀ ଦାସଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ପ୍ରତିଉତ୍ତରରେ ଶ୍ରୀ ଦାସ ଅଧୁରା ରହିଥିବା କାର୍ଯ୍ୟ ଗୁଡିକୁ ସଫଳ ରୂପାୟନ କରିବା,ସମସ୍ତଙ୍କ ସହଯୋଗରେ ଦୁର୍ବଳ ବର୍ଗର ବ୍ୟକ୍ତି ବିଶେଷଙ୍କୁ ତ୍ୱରିତ ସହଯୋଗକୁ ଅଗ୍ରଧିକାର ଦେବାକୁ ପ୍ରକାଶ କରିବା ସହ ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଆଶିର୍ବାଦ କାମନା କରିଛନ୍ତି ।


