କେନ୍ଦ୍ରାପଡାରେ ଆଠମାସ ପରେ ବସିଲା ଜିଲ୍ଲା ମେଡିକାଲ ବୋର୍ଡ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କରୋନା ମହାମାରୀ ଯୋଗୁଁ ମାସର ପ୍ରତି ଶୁକ୍ରବାର ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ୟୁଡିଆଇଡି ପ୍ରମାଣପତ୍ର ପ୍ରଦାନ ପାଇଁ ବସୁଥିବା ମେଡିକାଲ ବୋର୍ଡ ଗତ ମାର୍ଚ୍ଚମାସ ଦ୍ୱିତୀୟ ସପ୍ତାହରୁ ବନ୍ଦ ହୋଇଯାଇଥିଲା । ଏହି ପରିବେଶ ବହୁ ପରିମାଣରେ ଜିଲ୍ଲାରେ କମିଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ଚଳିତମାସର ପ୍ରତି ଶୁକ୍ରବାର ଏହା ଆରମ୍ଭ କରାଯିବାକୁ ସ୍ଥିର କରାଯାଇଥିଲା । ତଦନୁଯାଇ ଅନଲାଇନରେ ଆବେଦନ କରିଥିବା ବିଭିନ୍ନ ବର୍ଗର ୪୫ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମେଡିକାଲ ବୋର୍ଡରେ ଯୋଗଦେବାକୁ ସିଡିଏମଓଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଥିଲା । ଚଳିତମାସର ପ୍ରଥମ ଶୁକ୍ରବାର ଗତ ୬ତାରିଖରେ ଜିଲ୍ଲା ମେଡିକାଲ ବୋର୍ଡ ସିଡିଏମଓ ଡା. ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏଥିରେ ଅସ୍ତିଶଲ୍ୟ ବିଭାଗର ୧୯ଜଣ,ଶ୍ରବଣ ଶକ୍ତି ବିଭାଗର ୪ଜଣ,ଶିଶୁ ବିଭାଗର ୪ଜଣ,ଭେଷଜ ବିଭାଗର ୨ଜଣ,ଚକ୍ଷୁ ବିଭାଗର ୧୨ଜଣ ଏଭଳି ମୋଟ ୪୧ଜଣ ଭିନ୍ନକ୍ଷମ ମେଡିକାଲ ବୋର୍ଡରେ ଯୋଗଦେଇଥିଲେ । ଡା. ବି. କେ. ଦାସ, ଡା. କେ. ସି. ମିଶ୍ର, ଡା. ଏନ. ବେହେରା, ଡା. ଏମ. ପାଣିଗ୍ରାହୀ ଓ ଶ୍ରବଣ ବିଭାଗର ଡା. ଏସ. କେ. ଦାସ ସଂପୃକ୍ତ ବିଭାଗର ରୋଗୀମାନଙ୍କୁ ପରୀକ୍ଷା କରିଥିଲେ । ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ମୁହଁରେ ମାସ୍କ ପିନ୍ଧି ଓ ହାତରେ ସାନିଟାଇଜର ମାରି ରୋଗୀମାନଙ୍କୁ ଶୃଙ୍ଖଳିତ ଭାବେ ପରୀକ୍ଷା କରାଯାଇଥିଲା । ଏଥିରେ ସିଡିଏମଓଙ୍କ କାର୍ଯ୍ୟାଳୟର ହେମନ୍ତ କୁମାର ଓ ରମାକାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ । ସବୁ ଗୁଡିକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ତଦାରଖ କରିବା ସହ ଆସନ୍ତା ସପ୍ତାହରୁ କ୍ରମେ କ୍ରମେ ଅଧିକ ଭିନ୍ନକ୍ଷମଙ୍କୁ ଏହି ବୋର୍ଡକୁ ଡକାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଦାସ । ଅନ୍ୟ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିବା ବେଳେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଦୃଢ ଇଛାଶକ୍ତି ବଳରେ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ପ୍ରଚେଷ୍ଟାରେ କେନ୍ଦ୍ରାପଡାରେ ଏହା ଆରମ୍ଭ ହୋଇଥିବାରୁ ଜିଲ୍ଲାର ଭିନ୍ନକ୍ଷମମାନେ ଏହାର ସୁଯୋଗ ନେବେ ବୋଲି ଆଶା କରାଯାଇଛି ।


