ଗଜପତି କଲେଜର ପୁରାତନ ଛାତ୍ର ସଂସଦକୁ ସକ୍ରିୟ ପାଇଁ ଜରୁରୀ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଡାକଘର ପଛ ପାଶ୍ୱର୍ରେ ଥିବା ଅର୍ଚାଡ ପଡିଆ ପରିସରରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦକୁ ପୁନଃ ସକ୍ରିୟ କରି କାର୍ଯ୍ୟକ୍ଷମ କରିବା ପାଇଁ ସଂସଦର ନିର୍ବାହୀ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ମହମ୍ମଦ ନାସିର ବେଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ସଂସଦର ଦିବଙ୍ଗତ କେତେକ ସକ୍ରିୟ ସଦସ୍ୟ ଯଥା ରାମଚନ୍ଦ୍ର ମହାରାଣା, ପ୍ରସନ୍ନ ପଟ୍ଟନାୟକ, ବଟକୃଷ୍ଣ ପାତ୍ର, ମିନାକ୍ଷୀ ସାହୁ, ପ୍ରଦୀପ କୁମାର ପାଢୀ, ଗାୟତ୍ରୀ ଦେବୀ ଓ ରବି ନାରାୟଣ ପାଢୀ ଓ ଅନ୍ୟ ସଦସ୍ୟ ଓ ସଦସ୍ୟାଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା । ଏହି ଅବସରରେ ଦୀର୍ଘ ମାସ ଧରି ସମ୍ପୂର୍ଣ୍ଣ ଭାବେ ଅକାର୍ଯ୍ୟକ୍ଷମ ହୋଇ ରହିଥିବା ସମ୍ପୃକ୍ତ କଲେଜର ଏହି ପୁରାତନ ସଂସଦ ପୁନଃ ସକ୍ରିୟ ହୋଇ କିଭଳି କାର୍ଯ୍ୟକ୍ଷମ ହେବା ସହ କଲେଜର ବିକାଶ ଦିଗରେ ପଦକ୍ଷେପ ନେବାପାଇଁ ସମ୍ପୂର୍ଣ୍ଣ ଅବକାଶ ମିଳିବ ସେଥିନେଇ କେତେକ ଆନୁଷ୍ଠାନିକ ପ୍ରସ୍ତାବ ଗୃହୀତ ହୋଇଥିଲା । ଗତ ପ୍ରାୟ ୫ ବର୍ଷ ଧରି କଲେଜ ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ପୁରାତନ ଛାତ୍ର ସଂସଦର ପରିଚାଳନାରେ ଘୋର ବାଧା ସୃଷ୍ଟି କରି ଆସୁଛନ୍ତି । ଏମତିକି ସଂସଦର ନିୟମିତ ବୈଠକ, ସଂସଦର ରହିଥିବା ଅତିଥି ଭବନରେ ଆୟୋଜନ କରିବା କ୍ଷେତ୍ରରେ ବାଧା ସୃଷ୍ଟି କରି ଆସିବା ସହ କୌଣସି ଅନୁମତି ପ୍ରଦାନ ନ କରିବା ଏବଂ ପୁରାତନ ଛାତ୍ର ସଂସଦର ଅତିଥି ଭବନକୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଜବରଦଖଲ କରି ରଖିଥିା ଅତ୍ୟନ୍ତ ନିନ୍ଦନୀୟ ବୋଲି କହି ଏ ସମ୍ପର୍କରେ ୟୁ.ଜି.ସି. ଓ ନାକ କମିଟିର ଦୃଷ୍ଟିକୁ ଅଣାଯିବା ପଦକ୍ଷେପ ନିଆଯିବ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ବୈଠକରେ ନିଆ ଯାଇଥିବା ପ୍ରସ୍ତାବ ଗୁଡିକ ମଧ୍ୟରେ ମୁଖ୍ୟତଃ ନିୟମିତ ଭାବେ ପ୍ରତି ମାସରେ ଥରେ କମିଟି ବୈଠକ ବସିବା ଓ ଆଲୋଚନା କରିବା, ସଂସଦର ବିଭିନ୍ନ ଆର୍ଥିକ କାରବାର ପାଇଁ କୌଣସି ବ୍ୟାଙ୍କରେ ଏକ ଯୁଗ୍ମ ଆକାଉଣ୍ଟରେ ଖାତା ଖୋଲିବା, ପୁରାତନ ଛାତ୍ର ସଂସଦର ପୂର୍ବରୁ ରହିଥିବା ଯୁଗ୍ମ ଏକାଉଣ୍ଟ ବ୍ୟାଙ୍କ ଖାତାରେ ବେଆଇନ ତଥା ଜାଲିଆତି କରି ଟଙ୍କା ଉଠାଣ ବା ଅପବ୍ୟବହାର ଓ ହଡପ କରିଥିବା କାର୍ଯ୍ୟରେ ଜଡିତ ଥିବା ତତ୍କାଳୀନ ଏସ୍.ବି.ଆଇ. ମୁଖ୍ୟ ପରିଚାଳକ ଓ ଏସ୍.କେ.ସି.ଜି. କଲେଜର ତତ୍କାଳିନ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବ୍ୟାଙ୍କ ଅମ୍ବୁସଙ୍କୁ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନର ପଦକ୍ଷେପ ନେବା ଏବଂ ପୁରାତନ ଛାତ୍ର ସଂସଦର ଆଇନ ପରାମର୍ଶଦାତା ଭାବେ ହୀରାଚାନ୍ଦ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯିବା ନେଇ ବିଭିନ୍ନ ଆନୁଷ୍ଠାନିକ ପ୍ରସ୍ତାବ ଗୃହୀତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଅମୂଲ୍ୟ କୁମାର ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଡ.ଶଙ୍କର ପ୍ରସାଦ ବକ୍ସି, ଆଶାଲତା ପାଣିଗ୍ରାହି, ବସନ୍ତ କୁମାର ପଣ୍ଡା, ଗଜେନ୍ଦ୍ର ନାଥ ପଣ୍ଡା, ଦେବାଶିଷ ପାଢୀ, ହୀରାଚାନ୍ଦ ପଟ୍ଟନାୟକ, ହରିମୋହନ ପଟ୍ଟନାୟକ, ଗଣେଶ କୁମାର ରାଜୁ, ଆଦର୍ଶ ଦାସ, ପ୍ରଦୀପ କୁମାର ପାଢୀ, ପ୍ରଭାତ କୁମାର ପାତ୍ର, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


