ଯୁବ ବ୍ୟବସାୟୀ ଙ୍କ ଆତ୍ମହତ୍ୟା ;ମୃତଦେହ ଜବତ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି – ଆସିକା ରାସ୍ତାର ରାଜପୁର ଛକ ନିକଟରେ ସରକାରୀ ଲାଇସେନ୍ସ ପ୍ରାପ୍ତ କାଠ ବିକ୍ରୀ କରୁଥିବା ଯୁବ ବ୍ୟବସାୟୀ ଶାନ୍ତନୁ କୁମାର ଶତପଥୀ ମାନସିକ ଭାରସାମ୍ୟ ହରାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଶ୍ରୀ ଗଣେଶ ଟ୍ରେଡ଼ର୍ଶ ନାଁ ରେ ଶାନ୍ତନୁ ଦୋକାନ ଖୋଲି ଗତ ୫ ବର୍ଷ ହେଲା ବ୍ୟବସାୟ କରୁଥିଲେ। ଜଣେ ମିଷ୍ଟଭାଷୀ ଓ ପରୋପକାରୀ ଯୁବକ ଭାବେ ସେ ଖୁବ୍ କମ୍ ଦିନରେ ସମସ୍ତଙ୍କ ନିକଟରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଥିଲେ । ବୁଧବାର ସକାଳେ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ଥାନା ଅପମୃତ୍ୟୁ ମାମଲା ନଂ.୧୪/୨୦ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା ପଠାଇଥିଲେ । ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ ଶାନ୍ତନୁ ଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଗତ କିଛିବର୍ଷ ହେଲା ବ୍ରହ୍ମପୁର ର ଶାନ୍ତନୁ ଏଠାରେ କାଠ ଦୋକାନ କରି ବ୍ୟବସାୟ କରୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଦୋକାନ ନିକଟରେ କିଛି ସାଙ୍ଗ ମାନଙ୍କ ସହ ଖୁସିରେ ଗପସପ କରି ପରେ ପୁଞ୍ଜିକଁୟା ଛକ କୁ ଯାଇ ଅନ୍ୟ କିଛି ସାଙ୍ଗ ମାନଙ୍କ ସହ ଜଳଖିଆ ଖାଇ ଦୋକାନକୁ ଏକା ଫେରିଥିଲେ । ପରେ ବିଳମ୍ବିତ ସନ୍ଧ୍ୟାରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ସେ ଦୋକାନ ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ ଜଣାଇଛନ୍ତି ।


