ଫୁଲବାଣୀରେ ବୋମା ମାଡ଼ ଘଟଣା; ଦୁଇ ସପ୍ତାହ ପରେ ମଧ୍ୟ ପୋଲିସ ଟେର ପାଉନି 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ବୋମା ମାଡ ଘଟଣାକୁ ୨ ସପ୍ତାହ ପୁରିଲାଣି । ହେଲେ ଧରା ପଡିଲେ ନାହିଁ ଅଭିଯୁକ୍ତ। ତୁରନ୍ତ ଗିରଫ ହେବେ ଅଭିଯୁକ୍ତ ବୋଲି ପୁଲିସ କହୁଛି । ହେଲେ ଆଜି ସୁଦ୍ଧା ଜଣକଙ୍କୁ ବି ଧରିବା ପାଇଁ ପୁଲିସ ସକ୍ଷମ ହୋଇ ପାରି ନାହିଁ । ଏହାକୁ ପୁଲିସର ପାରିବା ପଣିଆ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଗତ ୪ ତାରିଖ ବିଳମ୍ବିତ ରାତିରେ ୪ ଜଣ ଦୁବୃର୍ତ୍ତ ଦୁଇଟି ବାଇକରେ ଆସି ପିଅନପଡା ବନ୍ଧସାହିର ଟିଟୁନ ବେହେରାଙ୍କ ଘର ଉପରକୁ ବୋମା ମାଡ କରି ପଳାଇ ଯାଇଥିଲେ । ବୋମା ମାଡ କାହାର କିଛି କ୍ଷତି ହୋଇ ନଥିଲା ସତ ହେଲେ ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିଲା । ବୋମା ମାଡ ଶବ୍ଦ ଶୁଣି ଟିଟୁନ ଓ ତାଙ୍କ ପରିବାର ଲୋକ ଜୀବନ ଭୟରେ ପଦାକୁ ଦୌଡି ଥିଲେ । ଆଖପାଖ ଲୋକ ବି ଭୟଭୀତ ହୋଇ ସମସ୍ତେ ଘରୁ ବାହାରି ଇଆଡେ ସିଆଡେ ଦୌଡିବାକୁ ଲାଗି ଥିଲେ । ତାପରେ ଫୁଲବାଣୀ ଟାଉନ ପୁଲିସ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟପିକ୍ ସହ ସହ ତନାଘନା ଚଳାଇଥିଲା । ଏହି କାମ ରାଜ କୁମାର ଚୌଧୁରୀ ଓ ତାର ସହଯୋଗୀ କରିଥିବା କଥା ଟିଟୁନ ବେହେରା ପୁଲିସକୁ କହିଥିଲେ । ରାଜ କୁମାର ଗଂଜେଇ ବେପାରୀ ଭାବେ ବେଶ  ଜଣାଶୁଣା । ସେ ବି ଗଂଜେଇ କାରବାରରେ ପୂର୍ବରୁ ଗିରଫ ହୋଇଛି । ପୁଲିସ ଟାର୍ଗେଟ କରିଥିବାରୁ ରାଜ କୁମାର ଏବେ ବାହାରେ ରହୁଛି । ଟିଟୁନ ବେହେରା ବୋମା ମାଡ ଘଟଣାରେ ସିଧାସଳଖ ରାଜକୁମାର ନାଁ ନେଇଥିବାରୁ ଗଂଜେଇ ବେପାରୀ ହିଁ ଘଟଣା ଘଟିଛି ବୋଲି ସ୍ପଷ୍ଟ ହୋଇଯାଇଛି । ଘଟଣା ପରେ ପରେ ପୁଲିସ ଯେଭଳି ଭାବେ ତନାଘନା ଚଳାଇଥିଲା ଆଶା କରାଯାଉଥିଲା ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବ। ଆଉ ମାଷ୍ଟର ମାଇଣ୍ଡ ବି ଧରା ପଡିବ। ହେଲେ କ’ଣ ହେଲା କେଜାଣି ଏହି ଘଟଣାକୁ ହାଲକା ଭାବେ ନେଇ ପୁଲିସ ନିରବ ରହିଛି। ପଚାରିଲେ ସେହି ପୁରୁଣା କଥା ତନାଘନା ଚଳାଇଛୁ।ତୁରନ୍ତ ଅଭିଯୁକ୍ତ ଧରା ପଡିବେ ବୋଲି ପୁଲିସ କହୁଛି । ଫୁଲବାଣୀ ସହର ବୋମା ମାଡ ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହି କାମ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ନ ଧରି ପାରିବା ଚିନ୍ତାର ବିଷୟ ହୋଇଛି । ଏଭଳି ଘଟଣା ଯେ ଆଉ କେଉଁଠି ପୁର୍ନରାବୃତ୍ତି ନ ହେବ କିଏ କହିବ। ପୁଲିସ ଉପରେ ଚାପ ପଡୁଛି। ନାଁ ଅନ୍ୟ କୌଣସି କାରଣ ପାଇଁ ପୁଲିସ ନିରବ ରହିଛି। ତାହା ଜଣା ପଡୁ ନାହିଁ । ବୋମା ମାଡ ଘଟଣାରେ ସହରବାସୀଙ୍କ ମନରେ ପୁଲିସ ପ୍ରତି ରହିଥିବା ନକରାତ୍ମକ ଭାବନା ଦୁର ହେବା ପାଇଁ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦେଖିବାର କଥା ଫୁଲବାଣୀ ଟାଉନ୍ ପୁଲିସ ଅଭିଯୁକ୍ତଙ୍କ ପାଖରେ କେବେ ପହଞ୍ଚି ପାରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ