କନ୍ଧମାଳ କୁଇ ସମାଜ ସମନ୍ବୟ ସମିତିର ବାର୍ଷିକ ସମାବେଶ; ସ୍କୁଲ ଓ ବିଇଡି କଲେଜ ବନ୍ଦ ହେଲେ ଆନ୍ଦୋଳନ ଧମକ

କନ୍ଧମାଳ ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ କୁଇ ସମାଜ ସମନ୍ବୟ ସମିତିର ୨୩ତମ ବାର୍ଷିକ ସମାବେଶ କୋଭିଡ ନିୟମ ପାଳନ ସହ ଅନୁଷ୍ଠିତ ହୋଇ ଯାଇଛି। ପୁଷରା କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ସମାବେଶରେ କୁଇ ସମାଜ ସମନ୍ବୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ଆଦିବାସୀଙ୍କ ସ୍ବାର୍ଥ କଥା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଭୁଲି ଯାଉଛି ବୋଲି କହିଥିଲେ । ଆଦିବାସୀଙ୍କ ଜମିକୁ ହଡପ କରାଯାଉଛି, ସେମାନଙ୍କ ନାଁରେ ଜାଲ ପ୍ରମାଣ ପତ୍ର ବାହାର କରି ସରକାରୀ ଚାକିରି ଅଣ ଆଦିବାସୀ କରୁଛନ୍ତି, ଜମିଜମା ଓ ଜାଲ ପ୍ରମାଣ ପତ୍ର ମାମଲାର ବର୍ଷବର୍ଷ ଧରି ତଦନ୍ତ ଚାଲିଛି ବୋଲି କହି ଏସବୁର ତୁରନ୍ତ ସମାଧାନ ପାଇଁ ସେ ଦାବି କରିଥିଲେ।ସ୍କୁଲଗୁଡିକରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଯେଉଁଥି ପାଇଁ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷ‌ା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଏଭଳି ସ୍ଥଳେ ପିଲା ସଂଖ୍ୟା କମ ଥିବା ୪୨୦ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୦୮ ମସିହାରେ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଏକ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ(ବିଇଡି) କଲେଜ ପ୍ରତିଷ୍ଠା ହୋଇଥିଲା। ଭିତ୍ତିଭୂମି ରହିଛି, ହେଲେ ଆବଶ୍ୟକ ଷ୍ଟାଫ ନାହାନ୍ତି । ଷ୍ଟାଫ ନିଯୁକ୍ତି ସରକାର କରିବା କଥା । ହେଲେ ବର୍ଷବର୍ଷ ଧରି ଷ୍ଟାପ ନିଯୁକ୍ତି ନ ହେବାରୁ ଚଳିତ ବର୍ଷଠାରୁ ନାମଲେଖା ବନ୍ଦ କରାଯାଇଛି। କହିବାକୁ ଗଲେ ବିଇଡି କଲେଜ ବନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ସ୍କୁଲ ଓ ବିଇଡି କଲେଜ ବନ୍ଦ ନିଷ୍ପତ୍ତିର ପୁର୍ନବିଚାର ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଶ୍ରୀ କହଁର ଚେତାବନୀ ଦେଇଛନ୍ତି । ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅବିଚାରକୁ କଦାବି ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ଆଦିବାସୀ ନେତା ପ୍ରଦୀପ କହଁର, ଅନ୍ତର୍ଯ୍ୟାମୀ କହଁର, ଡମ୍ବୁରଧର କହଁର, ମନୋଜ କୁମାର ମଲ୍ଲିକ, ଦୟାନିଧି ମଲ୍ଲିକ, ରୋଦନ ମଲ୍ଲିକ, ଶ୍ରୀନିବାସ ମଲ୍ଲିକ, ରାଜେନ୍ଦ୍ର କହଁର, ତ୍ରିଲୋଚନ କହଁର, ମହିଳାନେତ୍ରୀ ଗୀତାଞ୍ଜଳି କହଁର, ସିମଲା ମଲ୍ଲିକ,ଦୀନବନ୍ଧୁ କହଁରଙ୍କ ସମେତ କନ୍ଧମାଳ, ବୌଦ୍ଧ, ନୟାଗଡ ଓ ଗଂଜାମ ଜିଲ୍ଲାରୁ ସଂଗଠନର କାର୍ଯ୍ୟକର୍ତ୍ତା ଏବଂ ବହୁ ଆଦିବାସୀ ନେତା ଏହ‌ି ବାର୍ଷିକ ସମାବେଶରେ ଯୋଗ ଦେଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ସଂଗଠନ ପକ୍ଷରୁ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । କନ୍ଧମାଳର ବିଭିନ୍ନ ସମସ୍ୟା ନେଇ କୁଇ ସମାଜ ସମନ୍ବୟ ସମିତି ପକ୍ଷରୁ ଦାବି କରାଯାଇ ଆସୁଛି । ସଂଗଠନର ବାର୍ଷକ ସମାବେଶରେ ପ୍ରତିବର୍ଷ ଫୁଲବାଣୀରେ ୧୦ ହଜାର ଆଦିବାସୀ ଏକାଠି ହୋଇଥାନ୍ତି । ଏହାକୁ ନେଇ ପ୍ରଶାସନ ଓ ପୁଲିସ ଆଖିରୁ ନିଦ ହଜି ଯାଇଥାଏ । ଚଳିତ ବର୍ଷ କୋଭିଡ ପାଇଁ ଅଳ୍ପ ସଂଖ୍ୟକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଯାହାକୁ ନେଇ ପ୍ରଶାସନ ଓ ପୁଲିସ ଟିକେ ଆଶ୍ବସ୍ତି ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ