ଚାଉଳ ବିବାଦ; ଅଧିକାରୀଙ୍କ ଉପସ୍ଥିତିରେ ଲୋକେ ପାଇଲେ ଖାଦ୍ୟ ସାମଗ୍ରୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ଗାଁର କିଛି ହିତାଧିକାରୀ କଣ୍ଟ୍ରୋଲ ସାମଗ୍ରୀ ପାଉନଥିବା ଅଭିଯୋଗ ହୋଇଥିଲା । ଚାଉଳ, ଗହମ, ଚଣା ମହଜୁଦ ଥାଇ କେଉଁ କାରଣ ପାଇଁ ହିତାଧିକାରୀ ପାଉନଥିଲେ ସେ ନେଇ ଆଜି ଯୋଗାଣ ବିଭାଗ ଅନୁଧ୍ୟାନ କରିଥିଲା । ସହକାରୀ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଉପସହକାରୀ ଅଧିକାରୀ କେଦାର ନାୟକ ଓ ବ୍ଲକ ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକ ଆଜି ତେସିଙ୍ଗା ଠାରେ ପହଞ୍ଚି କଣ୍ଟ୍ରୋଲ ସାମଗ୍ରୀ ପାଇନଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । କିଛି ବିବାଦୀୟ କାରଣ ପାଇଁ ହିତାଧିକାରୀ ମାନେ ଚାଉଳ ଗହମ ଓ ଚଣାରୁ ବଞ୍ଚିତ ହୋଇଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ । ସେ ଯାହାବି ହେଉ ପ୍ରାୟ ୧୦୦ରୁ ଅଧିକ ହିତାଧିକାରୀଙ୍କୁ ତତକ୍ଷଣାତ ଖାଦ୍ୟ ସାମଗ୍ରୀ ପ୍ରଦାନ ପାଇଁ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ପାତ୍ର ଡିଲରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ୱେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେବାରୁ ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପରେ ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ସମସ୍ତ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଯାଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି ।


