ରୁପୁଡି ଗ୍ରାମ୍ୟ ରାସ୍ତା ଶୋଚନୀୟ, ପାଣି କାଦୁଅରେ ଚାଲୁଛନ୍ତି ଗାଁଲୋକେ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବକ୍ଷେତ୍ରରେ ତାହାର ସୁଫଳ ଲୋକ ମାନେ ପାଉନଥିବାର ଦେଖାଯାଉଛି । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳର ରାସ୍ତାଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ତାହା ସଠିକ୍ ସ୍ଥାନରେ କାର୍ଯ୍ୟକାରୀ ହେଉନଥିବା ଜଣାଯାଇଛି । ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ରୁପୁଡି ଗ୍ରାମରେ ପ୍ରାୟ ୧୫୦ ଲୋକ ବସବାସ କରୁଥିବା ବେଳେ ଯାତାୟତ ପାଇଁ ଥିବା ଗ୍ରାମ୍ୟ ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଦୀର୍ଘ ୧୦ ବର୍ଷ ହେବ ଏହି ରାସ୍ତା ମରାମତି ହୋଇନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ରାସ୍ତା ଏବେ ଖାଲଖମାରେ ପରିଣତ ହେବା ସହ ରାସ୍ତାରେ ପାଣି ଠିଆ ହୋଇଛି । ଫଳରେ ଗ୍ରାମର ଲୋକ ମାନେ ବାହାରକୁ ବାହାରି ପାରୁନାହାନ୍ତି । ସେହିପରି ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସଟିଏ ଗାଁ ଭିତରକୁ ଯାଇପାରୁନାହିଁ । ଗ୍ରାମର ପିଲା ମାନେ ନିକଟସ୍ଥ ବିଦ୍ୟାଳୟକୁ ପାଠ ପଢିବାକୁ ଯିବା ବେଳେ ପାଣି କାଦୁଅରେ ହଇରାଣ ହେଉଛନ୍ତି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମର ଗୟାଧର ରାଉତ, ବନମାଳୀ ବେହେରା, ଭାସ୍କର ରାଉତ, ବିଷ୍ଣୁ ଚରଣ ମୁଦୁଲି, ରାମ ଚନ୍ଦ୍ର ରାଉତ, କରୁଣାକର ମୁଦୁଲି, ପ୍ରଦୀପ ରାଉତ, ଗଂଗାଧର ରାଉତ, ପୁରୁଷୋତ୍ତମ ମଲ୍ଲିକ, କରୁଣାକର ବେହେରା ପ୍ରମୁଖ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ