ପୁରୁଷ ବନ୍ଧ୍ୟାକରଣ ପକ୍ଷ ସଚେତନତା ସଭା ଅନୁଷ୍ଠିତ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବାଲେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀଙ୍କ ଅଧ୍ୟକ୍ଷତା କରି ପୁରୁଷ ବନ୍ଧ୍ୟାକରଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉପରେ ଗୁରତ୍ୱାରୋପ କରିଥିଲେ । ଚଳିତ ବର୍ଷ ନଭେମ୍ବର ୨୧ତାରିଖରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ହେଉଥିବା ବେଳେ ଏ ବର୍ଷର ବାର୍ତା “ପରିବାର ନିୟୋଜନରେ ପୁରୁଷଙ୍କ ଭାଗିଦାରୀ, ଜୀବନରେ ଆଣେ ସ୍ୱାସ୍ଥ୍ୟ ଓ ଖୁସିର ଲହରୀ” ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୁରୁଷ ବନ୍ଧ୍ୟାକରଣ ସଚେତନତା ପାଇଁ ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରିବା ସହିତ ପୋଷ୍ଟର, ଲିଫଲେଟ୍, ହୋର୍ଡିଂ ମାଧ୍ୟମରେ ମଧ୍ୟ ପ୍ରଚାର କରାଯିବ । ଏଥି ସହିତ ପକ୍ଷ ପାଳନ ଅବସରରେ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ମଧ୍ୟ କରାଯିବ । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ମମତା ସାହୁ, ଡିପିଏମ୍ ଅନୀଲ ମହାନ୍ତି, ଡିଏମଆରସିଏଚ୍ ଶ୍ରୀମତୀ ଏଲିନା ସାମଲ, ଆଶା ପରାମର୍ଶଦାତା ଶ୍ରୀ ସତ୍ୟଜିତ୍ ରାୟ ପ୍ରମୁଖ ଯୋଗ ଦେଇଥିବା ବେଳେ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଶ୍ରୀ ରମଣୀକାନ୍ତ ଭଞ୍ଜ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


