ପିଡିଏସ ଗହମ ଚୋରା ଚାଲାଣ ଘଟଣା; ନେତାଙ୍କ ସମ୍ପର୍କୀୟଙ୍କ ସଂପୃକ୍ତି ପାଇଁ ତଦନ୍ତ ବାଟବଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଛଗରିଆସ୍ଥିତ ଓଡିଶା ରାଜ୍ୟ ଯୋଗାଣ ନିଗମ ଗୋଦାମରୁ ପିଡିଏସ ଗହମ ଚୋରା ଚାଲାଣ ଘଟଣାରେ ଜଣେ ମହାକାଳପଡା ନେତାଙ୍କ ସମ୍ପର୍କିୟ ଓ ଅନ୍ୟ ଜଣେ ମାହାଙ୍ଗା ନେତାଙ୍କ ସମ୍ପର୍କୀୟଙ୍କ ସଂପୃକ୍ତି ଯୋଗୁ ତଦନ୍ତ ଏବେ ବାଟବଣା ହୋଇଥିବା ଦେଖାଯାଇଛି । ନା ପୋଲିସର ତଦନ୍ତ ଆଗେଇ ପାରୁଛି ନା ପ୍ରଶାସନର ତଦନ୍ତ ଏକ ସୁନିଶ୍ଚିତ ବାଟରେ ଯାଇପାରୁଛି । ପିଡିଏସ ଗହମ ପୋଲିସ ଜବତ କରିବା ସମୟରେ ଯୋଗାଣ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରାଗଲା ନାହିଁ । ପରନ୍ତୁ ଘଟଣାରେ ସଂପୃକ୍ତ ଥିବା ଜନୈକ ଯୋଗାଣ ଅଧିକାରୀଙ୍କୁ ଦେଖିବାକୁ ନିର୍ଦେଶ ଦିଆଯିବାରୁ ସେ ଗହମ ଚୋରା ଚାଲାଣର ପ୍ରମାଣ ସବୁକୁ ଗାୟବ କରିବାରେ ଲାଗିପଡିଲେ ବୋଲି ଅଭିଯୋଗ ହୋଇଛି । ଅନ୍ୟ ପଟରେ ପୋଲିସ ଯେଉଁଭଳି ଭବରେ ତଦନ୍ତ କରିବା କଥା ତାହା ନକରି ଅନ୍ଧାରରେ ବାଡି ବୁଲାଉଥିବା ମଧ୍ୟ ଅଭିଯୋଗ ହେଉଛି । ଏସବୁ ପରେବି ଆହୁରି ରୋଚକ କଥା ହେଉଛି ଏହି ପିଡିଏସ ଗହମ ଚୋରା ଚାଲାଣରେ ସଂପୃକ୍ତ ଥିବା ପରିବହନ ଠିକାଦାର ସରକାରୀ ଦଳର ନେତାଙ୍କ ବାହୁଛାୟା ତଳେ ରହିଥିବାରୁ ତଦନ୍ତ ନିର୍ଦ୍ଦିଷ୍ଟ ଗିଗରେ ଆଗେଇ ପାରୁନାହିଁ । ଯୋଗାଣ ବିଭାଗ କେବଳ ପ୍ରୋକିଓରମେଂଟ ଇନିସପେକ୍ଟର ପିଙ୍କୁଇନ ସାମନ୍ତରାୟଙ୍କ ସମେତ ୩ଜଣ ଡଷ୍ଟିଂ ଅପରେଟର ଓ ଜଣେ ଡାଟାଏଂଟ୍ରୀ ଅପରେଟରଙ୍କୁ ଲୋକଦେଖାଣିଆ ଭାବେ ସେଠାରୁ ବଦଳି କରିଦେଇ ଚୁପହୋଇ ବସିଯାଇଥିବା ସୂଚନା ମିଳିଛି । ସଦର ଥାନା ପୋଲିସ ଦ୍ୱାରା ୨୧୦ବସ୍ଥା ପିଡିଏସ ଗହମ ଜବତ ହେବା ଯୋଗୁ ଛଗରିଆ ଗୋଦାମରେ କାର୍ଯ୍ୟ କରୁଥିବା ଏବଂ ଏଥିସହିତ ସଂପୃକ୍ତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ସନ୍ଦେହ ପରିସରକୁ ଆସିଯାଇଛି । ଏବେ ପିଡିଏସ ସାମଗ୍ରୀ ପରିବହନ କରୁଥିବା ଏଲ-୨ ଠିକାଦାରଙ୍କ ସମେତ ଏହି କଳା କାରନାମାରେ ସଂପୃକ୍ତ ଥିବା ଯୋଗାଣ ବିଭାଗର ଜନୈକ ଅଧିକାରୀ ଓ ଜଣେ ପୂର୍ବତନ କର୍ମଚାରୀଙ୍କ ସମ୍ପର୍କରେ ତଦନ୍ତ କରାଯିବାର ଆବଶ୍ୟକତା ଥିବା ବେଳେ ସେସବୁ ଯେମିତି ଜିଲ୍ଲା ପ୍ରଶାସନ ଓ ପୋଲିସ ଭୁଲି ଯାଇଥିବା ଭଳି ମନେହେଉଛି । ପୋଲିସର ସିଡିଆର(କଲ ରେକର୍ଡ ଡିଟେଲସ) ଯାଂଚ ପରେ ଅଭିଯୁକ୍ତ ବ୍ୟବସାୟୀଙ୍କ ସହିତ କେତେକ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଗଭୀର ସମ୍ପର୍କ ରହିଥିବା କଥା ବିଶେଷ ସୁତ୍ରରୁ ଜଣାପଡିଛି । ଦାୟୀତ୍ୱରେ ଥିବା ଯୋଗାଣ ଅଧିକାରୀ ଓ ପରିବହନ ଠିକାଦାରଙ୍କ ସଲାସୁତରାରେ ଏହି ଗହମ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । କେବଳ ପ୍ରୋକିଓରମେଂଟ ଇନିସପେକ୍ଟର ବା ଏଲ-୨ ଠିକାଦାର ନୁହନ୍ତି ଏହି ଘଟଣାର ମୁଖ୍ୟ ଯୋଗାଣ ବିଭାଗର ସେହି ଅଧିକାରୀ ଓ ପୂର୍ବତନ କର୍ମଚାରୀଙ୍କ କାର୍ଯ୍ୟକଳାପ ତଦନ୍ତ ପରିସରକୁ ଅଣାଯିବା ଉଚିତ ।


