ଅବସରର ୨୫ବର୍ଷ ପରେବି ପେନସନ ନମିଳିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବୀପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଅବସର ଗ୍ରହଣର ୨୫ବର୍ଷ ପରେବି ପେନସନ ନମିଳିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । ସରକାରୀ ଚାକିରୀ କରି ୬୦ବର୍ଷ ପରେ ଅବସର ଗ୍ରହଣ କଲେ । ହେଲେ ଅବସର ଗ୍ରହଣର ୨୫ବର୍ଷ ପରେବି ପେନସନ ମିଳିଲା ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ପଂଚାୟତ ବଜ୍ରବାଣ ଗ୍ରାମର ବ୍ରଜ କିଶୋର ଶତପଥୀଙ୍କ କ୍ଷେତ୍ରରେ । ଶ୍ରୀ ଶତପଥୀ ଗରଦପୁର ଉଠାଜଳସେଚନ ସବଡିିଭିଜନରେ ଗାଡି ଡ୍ରାଇଭର ଭାବରେ କାର୍ଯ୍ୟ କରି ଆଜକୁ ୨୫ବର୍ଷ ତଳେ ଅବସର ଗ୍ରହଣ କରିଥିଲେ । ଏବେ ସେ ରୋଗ ଶଯ୍ୟାରେ ପଡିଥିବା ବେଳେ ତାଙ୍କ ପାଖରେ ଆବଶ୍ୟକ ଚିକିତ୍ସା ପାଇଁ ଅର୍ଥ ନଥିବା ଅଭିଯୋଗ ହୋଇଛି । ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବା ବେଳେ ଔଷଧ ଖାଇବାକୁ ତାଙ୍କ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ । ବୋଝ ଉପରେ ନଳିତା ବିଡା ସଦୃଶ ଏବେ ପେନସନ କରାଇଦେବାକୁ ସେହିସଂସ୍ଥାର କର୍ମଚାରୀ ଶ୍ରୀ ଶତପଥୀଙ୍କୁ ୪୫ହଜାର ଟଙ୍କା ଲାଂଚ ମାଗିଥିବା ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି । ସେ ଲାଂଚ ଦେଇପାରିନଥିବାରୁ ତାଙ୍କର ପେନସନ ମଞ୍ଜୁର ହୋଇପାରୁନଥିବା କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି । ଶେଷରେ ସେ ନାତି ଗୁରୁପଦ ଦାଶଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏସମ୍ପର୍କରେ ଅଭିଯୋଗ କରିଥିବା ଜଣାପଡିଛି । ଅନ୍ତତଃ ମରିବା ପୂର୍ବରୁ ଅନେକ ଲୋକଙ୍କ ନିକଟରୁ ଉଧାର ନେଇଥିବା ଅର୍ଥ ପେନସନ ମିଳିଲେ ସେମାନଙ୍କୁ ଫେରସ୍ତ କରିଦେଇ ଖୁସିରେ ଆଖି ବୁଜି ପାରିବେ ବୋଲି କହିଛନ୍ତି ବ୍ରଜକିଶୋର ।


