ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ର

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ନିର୍ମାଣାଧିନ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ର ଗୁଡିକ ଦୀର୍ଘଦିନ ହେବ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଗ୍ରାମାଞ୍ଚଳରେ ଗୋ ବଂଶର ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପଶୁଡାକ୍ତରଖାନା ନିର୍ମାଣ କରିଥିଲେ ସୁଦ୍ଧା ଚିକିତ୍ସକ ରହୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ ପାଇମହୁରା ଠାରେ ନିର୍ମାଣ ହୋଇଥିବା ପ୍ରାଣୀ ସହାୟକ କେନ୍ଦ୍ରଟି ଏବେ ସାପ ବେଙ୍ଗଙ୍କ ବାସସ୍ଥଳୀ ପାଲଟିଗଲାଣି । ଏଠିକି ଡାକ୍ତର ଆସୁନଥିବାରୁ ଗୋରୁଗାଈଙ୍କ ଦେହ ଖରାପ ହେଲେ ଅଞ୍ଚଳର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ପ୍ରକାଶ ପାତ୍ର, ରମେଶ ବେହେରା, ଦେବକାନ୍ତ ସାହୁ, ଦେବାଶିଷ ସାହୁ, ବସନ୍ତ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିଭଳି ମଞ୍ଜୁରୀରୋଡ ନିକଟ ରାଣୀପଡା ଠାରେ ଥିବା ପଶୁଡାକ୍ତରଖାନାଟି ନିୟମିତ ଡାକ୍ତର ଆସୁନଥିବା କାରଣରୁ ଅଞ୍ଚଳର ୨୦ଖଣ୍ଡି ଗାଁର ଲୋକେ ଗୋ-ସମ୍ପଦ ସୁରକ୍ଷା ନେଇ ଚିନ୍ତିତ ହୋଇ ପଡିଛନ୍ତି । ଅନୁରୂପ ଭାବେ ଯଶୋଟିକିରି ଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ର ଭଗ୍ନ ଅବସ୍ଥାକୁ ଆସିଥିବାବେଳେ ରଣଜିତ ଠାରେ ଥିବା କେନ୍ଦ୍ରଟି ମଧ୍ୟ ତର୍ଦୁପ ଅବସ୍ଥା ହୋଇଗଲାଣି । ବ୍ଲକର ରହଣିଆ ଓ ସରସଦା ଠାରେ ଦୁଇଗୋଟି ପ୍ରାଣୀ ସହାୟକ କେନ୍ଦ୍ର ଥିଲେ ସୁଦ୍ଧା ଡାକ୍ତର ନଆସିବା କାରଣରୁ ଗୃହ ଗୁଡିକ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଏପରିକି ରଙ୍ଗ ଛାଡିବା ସହ ପ୍ଲାଷ୍ଟର ଝଡି ଗୃହ ଚାରିପାଖ ଅନାବନା ଲଟାମୟ ହୋଇଗଲାଣି । ଭଣ୍ଡାରିପୋଖରୀ ଠାରେ ଯଦିଓ ବ୍ଲକ ସ୍ତରୀୟ ପ୍ରାଣୀଧନ ଚିକିତ୍ସାଳୟ ରହିଛି କିନ୍ତୁ ସବୁ ସମୟରେ ଗୋ ସମ୍ପଦକୁ ତତକ୍ଷଣାତ ସେବା ଦେବା ସମ୍ଭବ ହୋଇପାରିନାହିଁ । ଗାଁ ଗହଳିରେ କୌଣସି ଗାଈ ଗୋରୁଙ୍କ ଦେହ ଖରାପ ହେଲେ ଗୃହକର୍ତ୍ତାଙ୍କ ଫୋନ କଲ ପାଇ ପଶୁଚିକିତ୍ସା ଅଧିକାରୀ କିମ୍ବା ପ୍ରାଣୀଧନ ନିରୀକ୍ଷକ ଯଦିଓ କେତେକ ସ୍ଥାନରେ ପହଞ୍ଚୁଛନ୍ତି କିନ୍ତୁ ସବୁ ଜାଗାକୁ ଯିବା ସମ୍ଭବ ହେଉନଥିବାରୁ ଅନେକ ସମୟରେ ଗାଈ ଗୋରୁଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଯାଉଛି । ଜଣେ ଜଣେ ପ୍ରାଣୀଧନ ନିରୀକ୍ଷକ ଏକାଧିକ କେନ୍ଦ୍ରର ଦାୟିତ୍ୱରେ ରହିଥିବାରୁ ଗୋ ସମ୍ପଦ ସୁରକ୍ଷାର ଅନ୍ତରାୟ ସୃଷ୍ଟି ହେଉଥିବା ଜଣାଯାଇଛି । ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟରେ ବସି କେବଳ ସରକାରୀ ଋଣ ବାବଦୀୟ ଫାଇଲ ପ୍ରସ୍ତୁତ କରୁଥିବାବେଳେ ଗ୍ରାମାଞ୍ଚଳରେ ପ୍ରାଣୀ ସହାୟକ କେନ୍ଦ୍ର ଗୁଡିକୁ କାର୍ଯ୍ୟକାରୀ କରିବାକୁ ନେଇ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । ଏଦିଗରେ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୁଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ