ହାତ ତିଆରି ଅପେକ୍ଷା ଛାଂଚ ତିଆରି ମୁଆଁର ଚାହିଦା ଅଧିକ

ନାଉଗାଁ, (ଓ୍ବାଇଏନ୍ଏସ୍):ଧନୁ ସଂକ୍ରାନ୍ତି ପାଇଁ ବଜାରରେ ବିକ୍ରି ହେଉଛି ଧନୁ ମୁଆଁ । ହାତ ତିଆରି ମୁଆଁ ଅପେକ୍ଷା ଛାଂଚ ତିଆରି ମୁଆଁକୁ ଗ୍ରାହକମାନେ ବେଶୀ ପସନ୍ଦ କରୁଛନ୍ତି । ଗ୍ରାହକଙ୍କ ଚାହିଦାକୁ ଦେଖି ବ୍ୟବସାୟୀମାନେ ବିଭିନ୍ନ ପ୍ରକାରର ଛାଂଚ ତିଆରି ମୁଆଁ ଆଣି ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ବର୍ତମାନ ସମାଜରେ ପ୍ରାଚ୍ୟ ସଂସ୍କୃତିକୁ ଛାଡି କେତେକ ପାଶ୍ଚାତ୍ୟ ସଭ୍ୟତା ଆଡକୁ ମୁହାଁଇଥିବା ବେଳ ଗ୍ରାମାଂଚଳର ଜନସାଧାରଣ ପରମ୍ପରାକୁ ଭୁଲି ନାହାନ୍ତି । ବାର ମାସରେ ତେର ପର୍ବ ହେଉଛି ଉତ୍କଳୀୟମାନଙ୍କ ବିଶେଷତ୍ୱ । ଆମ ସଂସ୍କୃତିରେ ଯେତେ ଗୁଡିଏ ପର୍ବପର୍ବାଣି ପାଳିତ ହୁଏ । ତନ୍ମଧ୍ୟରୁ ଧନୁ ସଂକ୍ରାନ୍ତି ଅନ୍ୟତମ । ଧନୁ ସଂକ୍ରାନ୍ତିର ବିଶେଷତ୍ୱ ହେଉଛି ଏହି ଦିନ ଦେବାଦେବୀ ମାନଙ୍କ ପାଖରେ ଧନୁ ମୁଆଁ ଭୋଗ ଲାଗି କରାଯାଇଥାଏ । ଏହା ହେଉଛି ଏକ କୃଷିଭିତିକ ପର୍ବ । ଏହି ପର୍ବ ମାର୍ଗଶୀର ମାସ ଶେଷ ଓ ପୁଷମାସ ଅଦ୍ୟରେ ପଡିଥାଏ । ସାଧାରଣତଃ ଚାଷୀମାନେ ଏହି ଦିନ ମାନଙ୍କରେ ନୂଆ ଧାନ ଅମଳ କରିଥାନ୍ତି । ଏହି ଧାନରୁ ସେମାନେ ଖଇ ଭାଜି ଗୁଡ ଓ ଚିନିରେ ମୁଆଁ ପ୍ରସ୍ତୁତ କରି ଧାନ ଖଳାରେ ମା’ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ପୂଜା କରିଥାନ୍ତି । ମା’ଲକ୍ଷ୍ମୀଙ୍କୁ ପ୍ରଥମ ଧାନରେ ମୁଆଁ ତିଆରି କରି ପୂଜା କଲେ ମା ସନ୍ତୁଷ୍ଟ ହୋଇ ଧନ୍ୟଧାନ୍ୟ ଦେଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ତେଣୁ ଧନୁ ସଂକ୍ରାନ୍ତି ଦିନ ସମସ୍ତେ ଦେବାଦେବୀଙ୍କ ନିକଟରେ ଧନୁ ମୁଆଁ ପୂଜା କରିଥାନ୍ତି । ଆଗରୁ ଧନୁ ମୁଆଁ ସାଧାରଣତଃ ଘରେ ପ୍ରସ୍ତୁତ କରାଯାଉଥିଲା । କିନ୍ତୁ ବର୍ତମାନ ଘର ଅପେକ୍ଷା ପ୍ରାୟ ସମସ୍ତେ ବଜାରରୁ ମୁଆଁ କିଣୁଥିବାର ଦେଖିବାକୁ ମିଳୁଛି । ଧନୁ ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ନାଉଗାଁହାଟ, ଗଙ୍ଗଦାହାଟ, ମୁଣ୍ଡାଳୋ, ଅଲଣାହାଟ ଆଦି ବଜାରରେ ଧନୁ ମୁଆଁ ବିକ୍ରି ହେଉଛି । କିନ୍ତୁ ହାତ ତିଆରି ମୁଆଁ ଅପେକ୍ଷା ଛାଂଚ ତିଆରି ମୁଆଁର ଚାହିଦା ଅଧିକ ରହିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ