ନେତ୍ର ଅସ୍ତ୍ରୋପଚାର ନାମରେ ଦଲାଲି :ଗରିବ ବୃଦ୍ଧ ବୃଦ୍ଧା ଙ୍କ ପାଇଁ ଦେବଦୂତ ସାଜିଲେ ପୋଲିସ ବାବୁ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):   ଗରିବ ବୃଦ୍ଧ ଓ ବୃଦ୍ଧାଙ୍କ ପ୍ରତି ଦୟାମାୟା ନାହିଁ । ସେମାନଙ୍କଠାରୁ ବି ଟଙ୍କା ଲୁଟିବାକୁ ପଛାଉ ନାହାନ୍ତି ଦଲାଲ । ଦଲାଲଙ୍କ ପାଇଁ କନ୍ଧମାଳରୁ ବୃଦ୍ଧ ଓ ବୃଦ୍ଧାଙ୍କ ନେତ୍ର ଅସ୍ତ୍ରୋପଚାର ପାଇଁ ନେବାକୁ ଆସିଥିବା ଗାଡି ପଳାଇଗଲା । ମାଡ ଭୟରେ ଦଲାଲ ସେଠାରୁ ଚମ୍ପଟ ମାରି ଥିବା ବେଳେ ବିଚରା ବୃଦ୍ଧ ଓ ବୃଦ୍ଧାଙ୍କୁ ନିଜ ନିଜ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ ଜଣେ ପୁଲିସ ବାବୁ। ଏହି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା କଟ୍ରିଙ୍ଗିଆ ଅଞ୍ଚଳରେ। ସୂଚନା ମୁତବକ, କଟ୍ରିଙ୍ଗିଆ ଅଞ୍ଚଳର ୧୫ ଜଣ ବୃଦ୍ଧ ଓ ବୃଦ୍ଧା ସୋନପୁର ନେତ୍ର ଚିକିତ୍ସାଳୟକୁ ଅସ୍ତ୍ରୋପଚାର ନିମନ୍ତେ ଯିବାର ଥିଲା। ଏଥି ନିମନ୍ତେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଯୋଗସୁତ୍ର କରିଥିଲେ। ମାଗଣାରେ ନେତ୍ର ଅସ୍ତ୍ରୋପଚାର ହେବ। ଏଥି ନିମନ୍ତେ କିଛି ଟଙ୍କା ଦେବାକୁ ପଡିବ ନାହିଁ। ଏଭଳି ଦଲାଲ ଜଣକ କହିଥିବା ବେଳେ ଆଜି ସୋନପୁରରୁ ଗାଡି ଆସି ପହଞ୍ଚିଥିଲା। ବୃଦ୍ଧ ଓ ବୃଦ୍ଧାମାନେ ଆସି ଗାଡି ପାଖରେ ପହଞ୍ଚିଥିଲେ। ଗାଡିରେ ଚଢିବା ସମୟରେ ଦଲାଲ ଜଣକ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଲେଖାଏଁ ମାଗି ଥିଲେ। କାହା ପାଖରେ ଟଙ୍କା ନଥିବାରୁ ଦେବାକୁ ସମସ୍ତେ ମନା କରି ଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯୁବକ ଜଣକ ଏକ ଦଲାଲ ବୋଲି ଜାଣିବା ପରେ ଗାଡିକୁ ଧରି ଚାଳକ ସେଠାରୁ ଗାଡି ନେଇ ପଳାଇ ଯାଇଥିଲେ। ତାପରେ ଏହି କଥା ଜଣା ପଡିବା ପରେ ମାଡ ଭୟରେ ଯୁବକ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରି ଦେଇଥିଲେ। ତାପରେ ବହୁ ସମୟ ଧରି ସେଠାରେ ବୃଦ୍ଧ ଓ ବୃଦ୍ଧା ନଖାଇ ନପିଇ ବସି ରହିଥିଲେ।କୌଣସି ସୁତ୍ରରୁ ଖବର ପାଇ ଗୋଛାପଡା ଥାନାଧିକାରୀ ତୃପ୍ତିରଂଜନ ନାୟକ ପହଞ୍ଚି ଗାଡି ବ୍ୟବସ୍ଥା କରି ସମସ୍ତଙ୍କୁ ନିଜ ନିଜ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ପୁଲିସ ବାବୁଙ୍କ ଏଭଳି କାମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ଦଲାଲ କାମ କରିଥିବା ଯୁବକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଅଭିଯୋଗ ହେଲେ ଯୁବକ ବିରୋଧରେ ନିଶ୍ଚୟ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ