ମୃତ ହୋମଗାର୍ଡଙ୍କ ପରିବାରକୁ ସହାୟତା
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଥାନାର ମୃତ ଗୃହରକ୍ଷୀ(ହୋମଗାର୍ଡ) ସୁଧାଂଶୁ ଶେଖର ଦାସଙ୍କ ପରିବାରକୁ ଗଞ୍ଜାମ ଗୃହରକ୍ଷୀ ବାହିନୀ ପକ୍ଷରୁ ୧ ଲକ୍ଷ ୮୪ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଗଞ୍ଜାମ ପୁଲିସ ଜିଲ୍ଲାର ଅଧୀନ କାର୍ଯ୍ୟରତ ସମସ୍ତ ହୋମଗାର୍ଡ ତଥା ଗୃହରକ୍ଷୀମାନେ ଗୋଟିଏ ଦିନର ଦରମାର ୧ ଲକ୍ଷ ୮୦ ହଜାର ଏବଂ ଗୃହରକ୍ଷୀ ବାହିନୀର ଅଫିସ୍ ଷ୍ଟାପ୍ ପକ୍ଷରୁ ୪ ହଜାର ସମୁଦାୟ ଏକଲକ୍ଷ ୮୪ ହଜାର ଟଙ୍କା ସହାୟତା ରାଶି ମୃତକ ପରିବାରକୁ ପ୍ରଦାନ କରାଯାଇଛି । ସ୍ଥାନୀୟ ବିଶ୍ୱେଶ୍ୱର ମନ୍ଦିର ନିକଟ ରାମଲକ୍ଷ୍ମୀନଗର ସ୍ଥିତ ମୃତ ଗୃହରକ୍ଷୀ ସୁଧାଂଶୁଙ୍କ ବାସଭବନ ଠାରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନଓ ରଂଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜାନ ଛୋଟରାୟ, ସର୍ଜେଣ୍ଟ ସଂଜୟ ବାରିକ, ହୋମଗାର୍ଡ କମାଣ୍ଡର ଏସ୍.ପର୍ଶୁରାମ ରେଡ୍ଡୀ, ହୋମଗାର୍ଡ ପ୍ଲାଟୁନ୍ କମାଣ୍ଡର ଦିଗାମ୍ବର ବେହେରା, ଏସ୍.ଏନ୍.ପ୍ରଧାନ ଓ ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ମୃତ ହୋମଗାର୍ଡଙ୍କ ପତ୍ନୀ ମମତା ଦାଶଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ସୁଧାଂଶୁ ଗୃହରକ୍ଷୀ ବାହିନୀରେ ନିଯୁକ୍ତି ହୋଇଥିଲେ । ଦୀର୍ଘ ୨ ବର୍ଷ ଧରି ନିଜର କର୍ତ୍ତବ୍ୟ ଓ ସେବା ଯୋଗାଇ ଆସୁଥିବା ବେଳେ ଅସୁସ୍ଥତା ଜନିତ କାରଣରୁ ୨୦୨୦ ମସିହା ଡିସେମ୍ବର ୧୨ ତାରିଖରେ ତାଙ୍କରି ମୃତ୍ୟୁ ହୋଇଥିଲା । ତାଙ୍କରି ଦୁଇଗୋଟି ଛୋଟ ଶିଶୁ ପୁତ୍ର ଅଛି । ଏହି ସମୟରେ ମୃତ ସୁଧାଂଶୁଙ୍କ ପୁତ୍ର ଓ ପତ୍ନୀଙ୍କ ସହାୟତା ଲାଗି ସମସ୍ତ ଗୃହରକ୍ଷୀ ଭାଇ ଓ ଭଉଣୀମାନେ ପଦକ୍ଷେପ ନେଇଥିଲେ ।


