ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ କମିନଥିବା ବେଳେ ସାମାଜିକ,ରାଜନୈତିକ ଓ କ୍ରୀଡା ସମାବେଶ ଉପରେ କଟକଣା ରହିଛି । ଏପଟେ ନୂଆ ରୂପରେ କରୋନା ଭୂତାଣୁ ବ୍ରିଟେନରୁ ବ୍ୟାପିବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ଆଗାମୀ ୧୪ ତାରିଖରେ ଗଜପତି ଜିଲ୍ଲାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ପାଇଁ ଏସଓପି ଜାରି କରାଯାଇଛି । ବିଶେଷ କରି ଜିଲ୍ଲାର ଗୋଷାଣୀ ବ୍ଲକ ସୀତା ପାହାଡରେ ମକର ସଂକ୍ରାନ୍ତି ଉତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବାରୁ ଏହି କଚକଣା ଜାରି କରାଯାଇଛି । ୧୪ରୁ ୧୬ ତାରିଖ ଯାଏଁ ମକର ସଂକ୍ରାନ୍ତି ଅବସରରେ ସୀତା ପାହାଡରେ ପୂଜାର୍ଚ୍ଚନା ସହ ଉତ୍ସବ ପାଳନ ଓ ଗୁଡି ଉଡା ପାଇଁ ପ୍ରବଳ ଭିଡ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କହିଛି ଯେ,କୋଭିଡ୍ ନିୟମକୁ ମାନି ଉତ୍ସବ ପାଳନ ପାଇଁ ଅନୁମତି ଦିଆଯିବ ।ଅର୍ଥାତ୍ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରଖିବା ଓ ହାତ ଧୋଇବା ଭଳି କୋଭିଡ ସତର୍କତା ଭିତରେ ମକର ସଂକ୍ରାନ୍ତି ଉତ୍ସବ ପାଳନ କରିବାକୁ ଏହି ଏସଓପି ଜାରି କରାଯାଇଛି ।


