ପ୍ରେମି ଯୁଗଳ’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମ ନିକଟସ୍ଥ ବିଲ ମଧ୍ୟରେ ଥିବା ଏକ ଅର୍ଜୁନ ଗଛରୁ ପ୍ରେମି ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଭଳି ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଛି। ମୃତକ ଦୁହେଁ ନିକଟରେ ପ୍ରେମ ବିବାହ କରିଥିଲେ।ପୁଅଟି ଉପରକାଙ୍କି’ ଗ୍ରାମର ସାଲଖୁ ଟୁଡୁ’ଙ୍କ ଏକମାତ୍ର ପୁଅ ମନମୋହନ ଟୁଡୁ(୨୫) ହୋଇଥିବାବେଳେ ଝିଅ ପିଲାଟି ବହଳଦା ବ୍ଲକ ନିକଟସ୍ଥ ଘାଘରା ସାହି ଗ୍ରାମର ଖେଲା ସୋରେନ୍ ଓ ସୁକାନ୍ତି ସୋରେନ୍’ଙ୍କ ଝିଅ ସଞ୍ଜୁ ସୋରେନ୍(୧୪), ବୋଲି ଜଣା ପଡିଛି।ପୁଅ ପିଲାଟି ବହଳଦା ଧୀରଜଲାଲ କଲେଜରୁ +୨’ ପର୍ଯ୍ୟନ୍ତ ପଢିଥିଲା ବେଳେ ଝିଅ ପିଲାଟି ସପ୍ତମ ଶ୍ରେଣୀରେ ପଢୁଥିବା ନାବାଳିକା ଥିବା ଜଣାପଡିଛି।ଘରୁ ପଳାୟନ କରି ଗତ ଡିସେମ୍ବରରେ ଦୁହେଁ ପ୍ରେମ ବିବାହ କରି କାଙ୍କି ଗ୍ରାମରେ ରହୁଥିଲେ।ତେବେ ଝିଅର ମାମୁଁ ଘରେ ଆଠ ଦିନ ରହି ତିନି ଦିନ ପୂର୍ବରୁ ଉଭୟ ଫେରିଥିଲେ ଏବଂ ଝିଅଟି ନିଜ ବାପା ଘରେ ଓ ପୁଅଟି କାଙ୍କି ଗ୍ରାମ ସ୍ଥିତ ନିଜ ଘରେ ରହିଥିଲେ।ଗତକାଲି ଅପରାହ୍ନ ସମୟରେ ଘରେ କେହି ନଥିବା ବେଳେ ପୁଅ ମନମୋହନ ସଞ୍ଜୁ କୁ ଡାକି ନେଇଥିଲା।ଘରେ ଝିଅ ସଞ୍ଜୁକୁ ନପାଇ ବାପା,ମାଆ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସହିତ ଝିଅକୁ ଫୋନ୍ କରିଥିଲେ ତେବେ ରିଙ୍ଗ ହେବା ସତ୍ବେ ସେ ଫୋନ୍ ଉଠାଇ ନଥିଲା।ଆଜି ସକାଳୁ ବିଲ ମଧ୍ୟରେ ଥିବା ଅର୍ଜୁନ ଗଛରେ ଦୁଇ ଜଣଙ୍କ ମୃତଦେହ ଝୁଲୁଥିବା ଖବର ପାଇଥିଲେ ବୋଲି ସଞ୍ଜୁ ର ବାପା ଓ ମାଆ ପୋଲିସ୍ ଆଗରେ ବୟାନ୍ ଦେଇଛନ୍ତି।ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ମଧ୍ୟରୁ ପୁଅଟିର ହାତ ଏକ ରଶିରେ ବନ୍ଧା ହୋଇଥିବା ଅବସ୍ଥାରେ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥିବାନେଇ ସନ୍ଦେହ କରାଯାଉଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ବହଳଦା ଥାନା ପୋଲିସ୍ ସୂଚନା ଦେଇଛନ୍ତି।ତେବେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବା ପରେ ଉଭୟଙ୍କ ମୃତଦେହ ଗଛରୁ ଓହ୍ଲାଇଥିଲେ ଓ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।ଏନେଇ ବହଳଦା ଥାନାରେ କେଶ୍ ନଂ ୨/୨୧’ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ