ଘର ଭିତରୁ ମାନସିକ ବିକୃତ ବ୍ୟକ୍ତିଙ୍କ ପଚାସଢା ଶବ ଉଦ୍ଧାର
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ବେଲଗୁଣ୍ଠା ହାଟପଦା ମେଇନ୍ ରୋଡସ୍ଥିତ ଏକ ବାସଭବନରୁ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ପଚାସଢା ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି । ପୋଲିସ ସୁତ୍ରରୁ ଜଣାପଡିଛି ଯେ ,ବେଲଗୁଣ୍ଠା ମେଇନ୍ ରୋଡ୍ ନିବାସୀ ସ୍ୱର୍ଗତ ଶ୍ରୀନିବାସ ମିଶ୍ର ଙ୍କ ବାସଭବନରୁ ଗତ ରାତିଠାରୁ ପଚା ଗନ୍ଧ ଆସୁଥିବା ଲକ୍ଷ କରାଯାଇଥିଲା । ସେହି ଘରେ ତାଙ୍କର ମାନସିକ ବିକୃତ ଥିବା ଜଣେ ଝିଅ ଓ ପୁଅ ରହୁଥିଲେ । ଅସହ୍ୟ ଗନ୍ଧ ହେବାରୁ ସାହିପଡିଶା ତଥା ଆଖପାଖ ଲୋକେ ସନ୍ଦେହ କରି ବେଲଗୁଣ୍ଠା ଥାନାକୁ ଖବର ଦେଇଥିଲେ । ଖବର ପାଇ ବେଲଗୁଣ୍ଠା ଥାନା ସବ୍ ଇନିସପେକ୍ଟର ପ୍ରକାଶ କୁମାର ସାହୁ ଓ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘର କବାଟ ଖୋଲିବା ବେଳକୁ ଜଣେ ବ୍ୟକ୍ତିଙ୍କ ଶବ ପଚିସଢି ପଡିଥିବା ଦେଖିବାକୁ ପାଇଥିଲେ । ଖବର ନେବାରୁ ଶବଟି ଶ୍ରୀନିବାସ ମିଶ୍ର ଙ୍କ ପୁଅ ତାରିଣୀ ମିଶ୍ରଙ୍କ ବୋଲି ଜଣାପଡିଥିଲା ।ପ୍ରକାଶ ଯାଉକି ତାରିଣୀ ଦୀର୍ଘ ବର୍ଷ ହେବ ନିଜର ମାନସିକ ଭାରସାମ୍ୟ ହରାଇ ଘରୁ କୁଆଡେ ବାହାରକୁ ବାହାରୁନଥିଲେ । ତାଙ୍କର ମୃତ୍ୟୁ ୮/୧୦ ଦିନ ତଳେ ହୋଇଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଶବ ଜବତ କରି ବେଲଗୁଣ୍ଠା ଥାନାରେ ୟୁଡି ୪/୨୧ରେ ଏକ ମାମଲା ରୁଜ୍ଜୁକରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ ପଠାଇଥିବା ସୁଚନା ମିଳିଛି । ତାରିଣୀଙ୍କ ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।