ଅମ୍ଫାନ ବାତ୍ୟାରେ ବିପର୍ଯ୍ୟସ୍ତ ରାସ୍ତା ମରାମତି ପାଇଁ ପ୍ରକଳ୍ପ ଚୟନରେ ଚଂଚକତା
ବିପର୍ଯ୍ୟସ୍ତ ରାସ୍ତାକୁ ଦିଆଯାଇଛି ବାଦ, ରାସ୍ତା ନଥିବା ସ୍ଥାନକୁ ଦର୍ଶାଯାଇଛି ଆଂଶିକ ବିପର୍ଯ୍ୟସ୍ତ
ନାଉଗାଁ,(ଓ୍ବାଇଏନ୍ଏସ୍): ଅମ୍ଫାନ ବାତ୍ୟାରେ ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତା ଗୁଡିକ ମରାମତି କରାଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିସରଙ୍କ ନିର୍ଦ୍ଦେଶକ୍ରମେ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ତଥ୍ୟ ମଗାଯାଇଥିଲା । ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ବାତ୍ୟା ଅମ୍ଫାନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତାକୁ ଚିହ୍ନଟ କରାଯାଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟକୁ ପଠାଯାଇଥିଲା । ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ଅମ୍ଫାନରେ ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାକୁ ମଂଜୁରୀ ପାଇଁ ପଠାଯିବା ପରିବର୍ତେ ରାସ୍ତା ନଥିବା ସ୍ଥାନକୁ ଆଂଶିକ ବିପର୍ଯ୍ୟସ୍ତ ରାସ୍ତା ଦର୍ଶାଯାଇ ପ୍ରକଳ୍ପ ମଂଜୁର କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ନାଉଗାଁ ବ୍ଳକ ଡେରିକି ପଂଚାୟତ ଅନ୍ତର୍ଗତ ଗଂଗଦାହାଟରୁ-ତିରୁଣାକୁ ସଂଯୋଗ କରୁଥିବା ରାସ୍ତାରୁ ପାଇକସାହି ଠାରୁ ମଝିପଡା ଦେଇ ବାଲିଗାଁକୁ ଗ୍ରାମ୍ୟରାସ୍ତା ସଂଯୋଗ କରିଛି । ବାତ୍ୟା ଅମ୍ଫାନରେ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିଲା । ରାସ୍ତାରୁ ଢଳେଇ ଉଠି ଯିବାରୁ ଖାଲଖମା ହୋଇଯିବା ସହିତ ରାସ୍ତାରୁ ମାଟି ଉଠିଯିବାରୁ ସାମାନ୍ୟ ବର୍ଷାରେ ୩ ଟି ଗ୍ରାମର ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷକରି ଉକ୍ତ ରାସ୍ତାର ମଝିପଡା ଜେନାସାହି ଠାରୁ ପାଇକସାହି ବେହେରା ସାହି ପ୍ରାୟ(୧୦୦ ମିଟର) ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାକୁ ଅମ୍ଫାନ ଯୋଜନାରେ ସାମିଲ କରାଯାଇ ମରାମତି କରାଯିବ ବୋଲି ସୂଚନା ଦିଆଯାଇଥିଲା । ହେଲେ ନାଉଗାଁ ବ୍ଳକକୁ ଅମ୍ଫାନରେ ୧୦୮ଟି ପ୍ରକଳ୍ପ ମଂଜୁରୀ ହୋଇ ଆସିଥିବା ବେଳେ ଉକ୍ତ ରାସ୍ତାଟି ନଥିବା ଜଣାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅମ୍ଫାନରେ ମଂଜୁରୀ ହୋଇ ଆସିଥିବା ଅଧିକାଂଶ ପ୍ରକଳ୍ପ ମଧ୍ୟରେ ପୂର୍ବରୁ କୌଣସି ରାସ୍ତା ନଥିବା ବେଳେ ଉକ୍ତ ରାସ୍ତା ଆଶିଂକ ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଯାଇଛି । ଯାହାକୁ ନେଇ ବ୍ଲକ ପ୍ରଶାସନ କାର୍ଯ୍ୟର ସ୍ୱଛତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏ ସଂର୍ପକରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


