ସରସଦା ସମିତି ଠାରେ ତୃତୀୟ ଦିନରେ ଚାଷୀ ଧାରଣା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଅଧିନ ସରସଦା ସମିତି ଠାରେ ଦୀର୍ଘ ତିନିଦିନ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି । ଚଳିତ ଖରିଫ ଧାନ ବିକ୍ରୟ ପାଇଁ ପଞ୍ଜିକରଣ ବ୍ୟବସ୍ଥାରୁ ୩୧୪ଜଣ ଚାଷୀ ବାଦ ପଡିବା ପ୍ରତିବାଦରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ସମବାୟ ବିଭାଗ ପ୍ରଶାସନିକ ଅଧିକାରୀ ସମେତ କର୍ମଚାରୀମାନେ ଜାଣିଶୁଣି ଚାଷୀ ମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଅନଲାଇନ ପଞ୍ଜିକରଣ ପାଇଁ କୃଷକ ମାନେ ସମସ୍ତ କାଗଜପତ୍ର ଦେଇଥିବା ସତ୍ତ୍ୱେ ବିଭାଗର ଦାୟିତ୍ୱହୀନତା କାରଣରୁ ପଞ୍ଜିକରଣରୁ ବାଦ ପଡିଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା କୌଣସି ଲାଭ ନମିଳିବାରୁ ବାଧ୍ୟହୋଇ ସେମାନେ ଧାରଣାକୁ ଓହ୍ଲାଇଥିଲେ । ଚାଷୀ ପିତାମ୍ବର ନାୟକ, ଆନନ୍ଦ ଚନ୍ଦ୍ର ଶାସିନୀ, ରାମଚନ୍ଦ୍ର ସେନାପତି, ଦିଲ୍ଲୀପ ପାତ୍ର, ଦେବେନ୍ଦ୍ରନାଥ ଧଳ, ନରେନ୍ଦ୍ର ସ୍ୱାଇଁ, ଅକ୍ଷୟ ସ୍ୱାଇଁ, ଅଶୋକ କୁମାର ଜେନା, ଦିଲ୍ଲୀପ ସାମଲ ପ୍ରମୁଖ ଧାରଣା ଆରମ୍ଭ କରିଥିବାବେଳେ ପଞ୍ଜିକରଣରୁ ବାଦ ପଡିଥିବା ଅନେକ ଚାଷୀ ଏଥିରେ ସାମିଲ ହୋଇଥିଲେ । ଧାରଣା ଯୋଗୁ ଚାରିଦିନ ହେବ ସମିତି ବନ୍ଦ ରହିଥିବାବେଳେ ଯେଉଁ ଚାଷୀମାନେ ପଞ୍ଜିକରଣ କରିଥିଲେ ସେମାନେ ଧାନ ବିକ୍ରୟରୁ ମଧ୍ୟ ବଞ୍ଚିତ ହୋଇଥିଲେ । ଏହାକୁ ଆଖିଆଗରେ ରଖି ଆଜି ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର ଓ ସହକାରୀ ଯୋଗାଣ ଅଧିକାରୀ ଶରତ କୁମାର ବେହେରା ସରସଦା ସମିତି ଠାରେବ ପହଞ୍ଚି ଆନ୍ଦୋଳନରତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଅନଲାଇନ ସାଇଟ ବନ୍ଦ ରହିଥିବାବେଳେ ଚାଷୀ ମାନଙ୍କ ପଞ୍ଚିକରଣ ହୋଇପାରିନଥିବା ଅଧିକାରୀମାନେ ସୂଚନା ଦେଇଥିଲେ । ତେଣୁ ସରକାରଙ୍କ ପକ୍ଷରୁ ସାଇଟ ଖୋଲିଲେ ଚାଷୀମାନଙ୍କ ନାମ ପଞ୍ଜିକରଣ କରାଯିବ ବୋଲି ଅଧିକାରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏପଟେ ଆନ୍ଦୋଳନରତ ଚାଷୀମାନେ ସେମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ଜିଦ ଧରି ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଜଣାପଡିଛି ।