ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ବୁଲବୁଲ୍ କ୍ଷତିପୂରଣ ପାଇନାହାନ୍ତି ଚାଷୀ; ତହସିଲରେ ପଡିରହିଛି ଅର୍ଥ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲକୁ ବୁଲବୁଲ୍ କ୍ଷତିପୂରଣ ପାଇଁ ଆସିଥିବା ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅର୍ଥ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ଚାଷୀ ମାନଙ୍କୁ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ତହସିଲ ପାଣ୍ଠିରେ ଏହି ଅର୍ଥ ପଡି ରହି ସୁଧ ବଢିବାରେ ଲାଗିଛି । ଏହି ସୁଧ ଅର୍ଥକୁ କିଏ ଖାଇବ ତାହା ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରକାଶ ଯେ, ଗତ ବୁଲବୁଲ୍ ବାତ୍ୟାରେ ବନ୍ତ ବ୍ଲକର ପ୍ରାୟ ୩୦ ହଜାର ଚାଷୀଙ୍କର ଚାଷ ଜମି କ୍ଷତିଗ୍ରସ୍ତ ହାଇଥିବା ଆକଳନ କରାଯାଇଥିଲା । ଚାଷୀ ମାନେ କ୍ଷତିପୂରଣ ପାଇବା ନେଇ ରାଜସ୍ୱ ନୀରିକ୍ଷକଙ୍କ ଜରିଆରେ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ପରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଅର୍ଥ ତହସିଲ ଜରିଆରେ ଚାଷୀଙ୍କ ଏକାଉଣ୍ଟକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ଚାଷୀ ପିଛା ୨ରୁ ୪ ହଜାର ଟଙ୍କା କ୍ଷତିପୂରଣ ରାଜ୍ୟ ସରକାର ଦେଇଥିବା ବେଳେ ବନ୍ତ ତହସିଲ ଅଧିନରେ ତାଲିକାଭୁକ୍ତ ହୋଇଥିବା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଚାଷୀଙ୍କ ଏକାଉଣ୍ଟକୁ କ୍ଷତିପୂରଣ ଅର୍ଥ ପହଂଚି ନଥିବା ଅଭିଯୋଗ ହୋଇଛି । ଏହାର ତନଖି କରିବାରୁ ଜଣାପଡିଛି ଯେ, ଚାଷୀ ମାନେ ଦେଇଥିବା ବ୍ୟାଙ୍କ ଏକାଉଣ୍ଟରେ ଏହି କ୍ଷତିପୂରଣ ରାଶି ପୈଠ କରାନଯାଇ ଭୁଲ୍ ଏକାଉଣ୍ଟ ନମ୍ବରରେ ଡିପୋଜିଟ୍ କରାଯାଇଛି । ଯାହାଦ୍ୱାରା ଚାଷୀ ମାନଙ୍କ ପାଖରେ ଏହି କ୍ଷତିପୂରଣ ଅର୍ଥ ପହଂଚି ପାରିନାହିଁ । ବୁଲବୁଲ୍ ପରେ ଅମ୍ଫାନ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି । ଏସଂପର୍କରେ ତହସିଲଦାର ଇନ୍ଦିରା ସାହୁଙ୍କ ପଚାରିବାରୁ କର୍ମଚାରୀ ଅଭାବ ଯୋଗୁ କାର୍ଯ୍ୟ ହୋଇପାରୁନାହିଁ ବୋଲି ସଫେଇ ଦେଇଥିଲେ । କ୍ଷତିପୂରଣ ପାଇଁ ଆସିଥିବା ଅର୍ଥ ତହସିଲରେ ଦେଢବର୍ଷ ହେବ ପଡି ରହିଛି । ଏହାର ସୁଧ କିଏ ଖାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅପରପକ୍ଷେ କ୍ଷତିପୂରଣ ପାଇନଥିବା ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।


