ପ୍ରଶାସନିକ ବୈଠକ ଧୂଆଁ ବାଣ; ପିଲେଟ୍ ପଡି ଦୁର୍ଘଟଣା ବୃଦ୍ଧି
ଯୋଡା,(ସମୀର କୁମାର ଦାସ): ଯୋଡା ଖଣିମଣ୍ଡଳରେ ଟ୍ରାଫିକ ସମସ୍ୟା ଓ ନିୟନ୍ତ୍ରଣକୁ ନେଇ ପ୍ରଶାସନିକ ସ୍ତରରେ ବୈଠକ ଉପରେ ବୈଠକ ହେଉଥିଲେ ହେଁ, ସୁଧାର ଆସିବା ପରିବର୍ତେ ଅବସ୍ଥା ଜଟିଳ ହେବାରେ ଲାଗିଛି । ରାସ୍ତାଘାଟର ଶୋଚନୀୟ ଅବସ୍ଥା ହେତୁ ଟ୍ରାଫିକ ସମସ୍ୟା ଅଂଚଳରେ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବିଭିନ୍ନ କାରଣରୁ ହେଉଥିବା ଏହି ସମସ୍ୟା ଉପରେ ପ୍ରଶାସନର କୌଣସି ଅଙ୍କୁଶ ଲାଗୁନଥିବା ଦେଖା ଦେଇଛି । ଏହାର ଏକ ଜ୍ୱଳନ୍ତ ଅନିୟମିତତା ଯୋଡା ଖଣିମଣ୍ଡଳର ଜୁରୁଡିଠାରେ ଦେଖା ଦେଇଛି । ଶନିବାର ଯୋଡା-ବାମେବାରୀ ରାସ୍ତାର ଜୁରୁଡିଠାରେ ଟନ୍ ଟନ୍ ଲୁହାପଥର ଗୋଲି ପଡିଥିଲା । ଯାହା ଫଳରେ ବାଇକ୍ ଆରୋହୀ ଠାରୁ ଆରମ୍ଭ କରି ଛୋଟ ଯାନବାହାନ ଗୁଡିକ ଯାତାୟାତ ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ପିଲେଟ୍ ଗୋଲି ଯୋଗୁଁ ବାଇକ୍ ଆରୋହୀ ସୀତାକାନ୍ତ ପଲେଇ, ପରେଶ ରାଉତ, ରଇବୁ ମୁଣ୍ଡା, ସୁରେନ୍ଦ୍ର ମହାକୁଡ ବାଇକ୍ ରୁ ପଡିଯାଇଥିଲେ ହେଁ ଅଳ୍ପକେ ବର୍ତିଯାଇଥିଲେ । ଗତ ତା-୧୮.୦୧.୨୦୨୧ ରିଖରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଏସ୍ପିଙ୍କ ଉପସ୍ଥିତିରେ ଯୋଡା ଖଣିମଣ୍ଡଳରେ ଥିବା ଖଣି କମ୍ପାନୀ ଏବଂ ଶିଳ୍ପସଂସ୍ଥାର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଖଣି ଅଂଚଳରେ ଉପୁଜୁଥିବା ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ ଓ ନିରାକରଣ ଉପରେ ବୈଠକରେ ଆଲୋଚନା ହୋଇ ନିଷ୍ପତି ନିଆଯାଇଥିଲା । ରାସ୍ତାରେ ପିଲେଟ୍ ଗୋଲି ପଡି ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଉପୁଜିଲେ ଖଣିଜ ବୋଝେଇ କରୁଥିବା ସମ୍ପୃକ୍ତ ପିଲେଟ୍ ନିର୍ମାଣକାରୀ କମ୍ପାନୀ ଉତରଦାୟୀ ରହିବା ସହ ଏହାର ନିରାକରଣ ଦାୟିତ୍ୱ ବହନ କରିବ ବୋଲି ବୈଠକରେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ତେବେ ଶନିବାର ରାସ୍ତାରେ ପ୍ରବଳ ମାତ୍ରାରେ ପିଲେଟ୍ ଗୋଲି ବିଛୁରିତ ହୋଇ ପଡିରହିଥିଲେ ହେଁ ସମ୍ପୃକ୍ତ ପିଲେଟ୍ କାରଖାନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଓ ପକାଇଥିବା ଟ୍ରକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।


