ବିଜେପି କର୍ମୀଙ୍କ ଦ୍ୱାରା କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଥାନାରେ ମାମଲା ରୁଜୁ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଟାଉନ ଥାନା ପୋଲିସ ପକ୍ଷରୁ ତିନିମୁହାଣିଛକରେ ଶନିବାର ସନ୍ଧ୍ୟାରେ ହେଲମେଟ ଚେକିଂ ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରିବାକୁ ସେଠାରେ ବିଜେପି କର୍ମୀମାନେ ହଠାତ ପହଁଚି ପୋଲିସର ହେଲମେଟ ଚେକିଂ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ସେହି ଘଟଣାରେ ଟାଉନ ଥାନାରେ ୧୩/ ୨୦୨୧ରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୮୬, ୩୫୩, ୩୩୨, ୨୯୪, ୫୦୬ ଓ ୩୪ଦଫାରେ ଏବଂ ୩୧ଆରଏସ, ୨ଖ (କ) ଅନୁସୂଚିତ ଜାତି ଜନଜାତି ଆଇନରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ପୋଲିସ ଅଧିକାରୀଙ୍କ ଅଭିଯୋଗ ଅନୁଯାଇ ଓଡି – ୨୯ଏ – ୪୨୨୮ନମ୍ବରବିଶିଷ୍ଟ ବାଇକକୁ ପୋଲିସ ଜଣେ ବିନା ହେଲମେଟରେ ବାଇକ ଚଳାଉଥିବା ଆରୋହୀଙ୍କ ଠାରୁ ଜବତ କରିବା ନେଇ ପୋଲିସକୁ ଆକ୍ରମଣ କରିବା, କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିବା ସହ ଆକ୍ରମଣ କରିବା ଓ ଗାଳି ଗୁଲଜ କରିବା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଅନୁଯାଇ ଆଜି ମାମଲା ରୁଜୁ କରାଯିବା ସହ ସେହି ମାମଲାର ତଦନ୍ତ ଦାୟୀତ୍ୱ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହି ମାମଲା ସଂପୃକ୍ତ ବାଇକ ଆରୋହୀଙ୍କ ସମେତ କରୁଣାକର ସାହୁ, ସହଦେବ ସାହୁ, କିଶୋର ପଣ୍ଡାଙ୍କ ସହ ଅନ୍ୟ ବିଜେପି କର୍ମୀମାନଙ୍କ ନାମରେ ରୁଜୁ କରାଯାଇଥିବା ସୂଚନା ମିଳିିଛି ।


