ଘରୋଇ ମାଟିରେ ୧୧ ଟେଷ୍ଟ ସିରିଜ୍ ବିଜୟ

ପୁନେ: ଚଳିତ ଗାନ୍ଧି ମଣ୍ଡେଲା ଟେଷ୍ଟ ସିରିଜର ପ୍ରଥମ ୨ଟି ଟେଷ୍ଟ ଜିତି ଭାରତ ଫ୍ରିଡମ ଟ୍ରଫି କବଜା କରିଛି । ଦ୍ୱିତୀୟ ଟେଷ୍ଟକୁ ଇନିଂସ ଓ ୧୩୭ ରନରେ ଜିତିବା ପରେ ଭାରତୀୟ ଦଳ ନାମରେ ଅନେକ ରେକର୍ଡ ଯୋଡ଼ି ହୋଇଯାଇଥିଲା । ଘରୋଇ ମାଟିରେ କ୍ରମାଗତ ୧୧ଟି ଟେଷ୍ଟ ସିରିଜ ବିଜୟ ଓ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩୦ଟି ଟେଷ୍ଟ ଜିତିବାରେ ନୂଆ ରେକର୍ଡ ସ୍ଥାପନ କରିଥିଲା ।
୧୧ ଟେଷ୍ଟ ସିରିଜ: ଘରୋଇ ଗ୍ରାଉଣ୍ଡରେ କ୍ରମାନ୍ୱୟରେ ୧୧ଟି ଟେଷ୍ଟ ସିରିଜ ଜିତିବାରେ ଭାରତ ପ୍ରଥମ ଦଳ ସାବ୍ୟସ୍ତ ହୋଇଛି । ପୂର୍ବରୁ ଘରୋଇ ଗ୍ରାଉଣ୍ଡରେ ସର୍ବାଧିକ କ୍ରମାନ୍ୱୟ ଟେଷ୍ଟ ସିରିଜ ବିଜୟ ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଥିଲା । ୧୯୯୪ ରୁ ୨୦୦୧ ଏବଂ ୨୦୦୪ ରୁ ୨୦୦୮ ମଧ୍ୟରେ ଅଷ୍ଟ୍ରେଲିଆ ଘରୋଇ ଗ୍ରାଉଣ୍ଡରେ ୧୦ଟି ଲେଖାଏଁ ଟେଷ୍ଟ ସିରିଜ ଜିତିଥିଲା । ୨୦୧୨ / ୧୩ ପରଠାରୁ ଭାରତ ଘରୋଇ ଗ୍ରାଉଣ୍ଡରେ କୌଣସି ଟେଷ୍ଟ ସିରିଜ ହାରି ନାହିଁ । ୭ ବର୍ଷ ମଧ୍ୟରେ ଭାରତ ୮ଟି ଭିନ୍ନ ଭିନ୍ଦ ଦଳକୁ ଘରୋଇ ଗ୍ରାଉଣ୍ଡରେ ହରାଇଛି । ଏମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ୱେଷ୍ଟ ଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ୨ ଥର ଲେଖାଏଁ ପରାଜିତ ହୋଇସାରିଛନ୍ତି ।
କୋହଲିଙ୍କ ନେତୃତ୍ୱରେ ୩୦ଟି ଟେଷ୍ଟ ବିଜୟ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୫୦ଟି ଟେଷ୍ଟ ଖେଳି ୩୦ଟିରେ ବିଜୟୀ ହୋଇସାରିଛି । ଅଧିନାକୟ ଭାବେ ପ୍ରଥମ ୫୦ଟି ଟେଷ୍ଟ ମଧ୍ୟରୁ ସର୍ବାଧିକ ବିଜୟ ରେକର୍ଡ ଅଷ୍ଟ୍ରେଲିଆ ଷ୍ଟିଭ ୱଙ୍କ ନାମରେ ରହିଛି । ସେ ୩୭ଟି ଟେଷ୍ଟ ଜିତିଥିଲେ । ସେହିପରି ରିକି ପଣ୍ଟିଂ ପ୍ରଥମ ୫୦ଟି ଟେଷ୍ଟର ନେତୃତ୍‌ବ ନେଇ ଅଷ୍ଟ୍ରେଲିଆକୁ ୩୫ଟି ଟେଷ୍ଟ ଜିତାଇଥିଲେ । କୋହଲିଙ୍କ ନେତୃତ୍ୱରେ ଭାରତ ଘରୋଇ ଗ୍ରାଉଣ୍ଡରେ ୨୩ଟି ଟେଷ୍ଟ ଖେଳି ୧୭ଟି ବିଜୟୀ ହୋଇଥିବା ବେଳେ ବିଦେଶରେ ୨୭ଟି ଟି ଟେଷ୍ଟରୁ ୧୩ଟି ଟେଷ୍ଟ ଜିତି ସାରିଛି ।
ବଡ଼ ବିଜୟ: ପୁନେରେ ଦକ୍ଷିଣ ଆଫ୍ରିକାକୁ ଇନିଂସ ଓ ୧୩୭ ରନ୍‌ରେ ହରାଇଥିଲା ଭାରତ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ଭାରତର ସର୍ବ ବୃହତ ବିଜୟ ରହିଥିଲା । ପୂର୍ବରୁ ୨୦୧୦ ଇଡେନ ଗାର୍ଡେନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଭାରତ ଇନିଂସ ଓ ୫୭ ରନ୍‌ରେ ପରାସ୍ତ କରିଥିଲା । ଟେଷ୍ଟ ଇତିହାସରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଥର ପାଇଁ କୌଣସି ଏସୀୟ ଦେଶଠୁ ପରାଜିତ ହୋଇଛି । ୨୦୦୬ ରେ ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଇନିଂସ ଓ ୧୫୩ ରନ୍‌ରେ ପରାଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ