ବରାହ ଫାସରେ ପଡି ନିରୀହ ଯୁବକଙ୍କ ମୃତ୍ୟୁ

ବେସାହାରା ହେଲା ପରିବାର
ଭବାନୀପାଟଣା,(ଓ୍ବାଇଏନ୍ଏସ୍) :ମଣିଷ ଦିନକୁ ଦିନ ଜଙ୍ଗଲୀ ଜନ୍ତୁ ଶିକାର କରିବା ପାଇଁ କରୁଛି ନୂଆ ନୂଆ ଉପାୟ।କେବେ ଜାଲ ଦେଉଛି ତୋ କେବେ ବିଦ୍ୟୁତ ସଟ ଦେଇ କରୁଛି ଶିକାର।ଏଥିପାଇଁ କାହାର ଜୀବନ ଯେ ଯାଇପାରେ ସେ କଥା ମଧ୍ୟ ଟିକେ ଚିନ୍ତା କରୁ ନାହିଁ।ଯାହାଫଳରେ ନିରୀହ ଜୀବନଟେ ଅକାରଣେ ଚାଲିଯାଇଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗାଈଧାର ନଦୀ କୂଳରେ ବରାହ ଫାସରେ ଲାଗି ଏକ ଯୁବକର ମୃତ୍ୟୁ ହୋଇଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି।ମୃତକ ଯୁବକ ହେଲେ ବାନେର ଗ୍ରାମପଞ୍ଚାୟତ କାଦୋପଦର ଗ୍ରାମର ଗଜାନନ କଣ୍ଟା (୩୩)ବୋଲି ଜଣାପଡ଼ିଛି।ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି।ତଥା ଅଭିଯୁକ୍ତ ଅର୍ଜୁନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀଣୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ କାଦୋପଦର ଗ୍ରାମର ଗଜାନନ କଣ୍ଟା ଓ ତାଙ୍କ ସ୍ତ୍ରୀ ଫୁଲମତି କଣ୍ଟା ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ଗାଈଧାର ନଦୀ କୂଳରେ ଥିବା ସେଇ ଗ୍ରାମର ଅର୍ଜୁନ ମାଝୀଙ୍କ ଇଟାଭାଟିକୁ କାମ କରିବା ପାଇଁ ଆସୁଥିଲେ ଏହି ସମୟରେ ଅର୍ଜୁନ ଗୁପ୍ତଭାବରେ ବିଦ୍ୟୁତ ସଂଯୋଗ କରି ଦେଇଥିବା ବରାହ ଫାସରେ ଗଜାନନ ଆଘାତ ପାଇ ମୃତ ହୋଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅର୍ଜ୍ଜୁନ ଦୀର୍ଘ ଦିନ ଧରି ବେଆଇନ ଇଟାଭାଟି କରି ଇଟା ବ୍ୟବସାୟ କରୁଥିବା ବେଳେ ଏମିତି ବାଇଣ୍ଡିଙ୍ଗ ତାରରେ ବିଦ୍ୟୁତ ସଂଯୋଗ କରି ୨୦ ରୁ ଉର୍ଦ୍ଧ୍ବ ବରାହ ଶିକାର କଲେଣି ହେଲେ ଏଥିପ୍ରତି ନା ଜଙ୍ଗଲ ବିଭାଗ ,ନା ବିଦ୍ୟୁତ ବିଭାଗ, ନା ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ବରଂ ଏମିତି ହାତରେ ହାତ ବାନ୍ଧି ବସି ଥିବା ବେଳେ ବର୍ତ୍ତମାନ ଜଣେ ନିରୀହ ଙ୍କ ଜୀବନ ନେଲାଣି।ଏନେଇ ଜୟପାଟଣା ପୋଲିସ ତଦନ୍ତ ଚଳାଇ ଥିବା ବେଳେ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳରେ ଦାବି ହୋଇଛି।ଗଜାନନ ଥିଲେ ପରିବାର ର ମୁଖ୍ୟ ତାଙ୍କୁ ହରାଇ ପରିବାର ଏବେ ବେସାହାରା ହୋଇପଡି ଥିବାବେଳେ ସରକାରୀ ସହାୟତା ଯୋଗାଇଦେବାକୁ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ