ଏକବିଂଶ ଦିବସୀୟ ସମାଧି ପ୍ରତିଷ୍ଠା ଉତ୍ସବ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମର ବୈତରଣୀ ନଦୀକୂଳରେ ଥିବା ଶୂନ୍ୟବଟ ମହିମା ଅଲେଖ ଆଶ୍ରମର ସାଧୁ ରଘୁ ଅରଖିତ ଦାସଙ୍କର ଏକବିଂଶ ଦିବସୀୟ ସମାଧି ପ୍ରତିଷ୍ଠା ଓ ସାଧୁମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ବାହାରର ପ୍ରସିଦ୍ଧ ସାଧୁସନ୍ଥମାନେ ଯୋଗଦେଇ ପରଲୋକଗତ ଶ୍ରୀ ରଘୁ ଅରଖିତ ଦାସଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଦୀର୍ଘ ବର୍ଷ ଧରି ଏଠାରେ ଆଶ୍ରମ ପ୍ରତିଷ୍ଠା କରି ଅଞ୍ଚଳରେ ଧାର୍ମିକ ଚେତନାର ପ୍ରଚାର ପ୍ରସାର କରିଥିବାରୁ ଉପସ୍ଥିତ ସାଧୁସନ୍ଥ ମାନେ ତାଙ୍କ ଅମରଆତ୍ମା ନିକଟରେ ପ୍ରଣାମ ଜଣାଇଥିଲେ । ଆୟୋଜିତ ସମାରୋହରେ ନିକଟ ଯାଜପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାସୁଦେବପୁର ସ୍ଥାନର ପ୍ରମୁଖ ସାଧୁସନ୍ଥ ଯୋଗଦେଇଥିଲେ । ବିଶେଷ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ତଥା ବିଜେପି ନେତା ପଞ୍ଚାନନ ରାଉତ ଏଥିରେ ଯୋଗଦେଇ ବିଭିନ୍ନ ଧର୍ମୀୟ ଚେତନା ଉପଯୋଗୀ ବକ୍ତବ୍ୟ ଦେଇଥିଲେ । ଏହା ସହିତ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗଦେଇଥିଲେ ।


