ଧାନ କିଣାରେ ଅବ୍ୟବସ୍ଥା; ଯଶିପୁର ଲ୍ୟମ୍ପସରେ ତାଲା ପକାଇଲେ ଚାଷୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଉତ୍ୟକ୍ତ ଚାଷୀ ଯଶିପୁର ଲ୍ୟମ୍ପସରେ ୪ ଘଣ୍ଟା ଧରି ତାଲା ପକେଇ ଥିଲେ I ଗତ ଡିସେମ୍ବର ୨୨, ୨୦୨୦ ରୁ ସରକାରୀ ଧାନ ମଣ୍ଡି ଯଶିପୁର ଲ୍ୟମ୍ପସରେ ଧାନ କିଣା ଆରମ୍ଭ ହୋଇଥିଲେବି ବିଭିନ୍ନ କାରଣରୁ ସବୁ ତାରିଖରେ ଧାନ କିଣାଯାଇ ନପାରିବାରୁ ବହୁ ଚାଷୀଙ୍କର ଧାନ ବିକ୍ରୟ ନିମନ୍ତେ ପ୍ୟାକିଂ ହୋଇ ପ୍ରସ୍ତୁତ ଥିଲେବି ବିକ୍ରି ହୋଇ ପାରିନାହିଁ I ଏକ ମାସ ମଧ୍ୟରେ ଯେଉଁ ଚାଷୀ ମାନେ ଟୋକନ ନମ୍ବର ପାଇବାପରେ ମଧ୍ୟ ଧାନ ବିକ୍ରି କରି ପାରିନାହାନ୍ତି ସେମାନେ ଆଉ ଧାନ ବିକ୍ରି କରି ପାରିବେ ନାହିଁ I କାରଣ ଟୋକନର କାର୍ଯ୍ୟକାରୀ ସମୟ ଏକ ମାସ I ଗୋଟିଏ ଦିନରେ ମାତ୍ର ୧୦୦୦ କ୍ୱିଣ୍ଟାଲ ଧାନ କିଣାଯାଇ ପାରିବା, ନିର୍ଦ୍ଧାରିତ ଦିନରେ ମିଲର ନଆସିବା, ଶ୍ରମିକ ନଆସିବା, ଧାନ କିଣାଯିବାପରେ ଲ୍ୟମ୍ପସ ଗୋଦାମରୁ ମିଲର ଗୋଦାମକୁ ଠିକ ସମୟରେ ଧାନ ନଯିବା ଯୋଗୁ ଏସବୁ ସମସ୍ୟା ହେଉଛି ବୋଲି ଲ୍ୟମ୍ପସ ପକ୍ଷରୁ କୁହାଯାଉଛି l ଯଦି ଏଭଳି ଭାବରେ ଧୀର ମନ୍ଥର ଗତିରେ ଧାନ କିଣା କାର୍ଯ୍ୟକ୍ରମ ଚାଲେ ତାହେଲେ ମାର୍ଚ୍ଚ ୨୦୨୧ ଶେଷ ପର୍ଯ୍ୟନ୍ତ ବହୁ ଚାଷୀଙ୍କ ଟୋକନ ନମ୍ବର ଥାଇବି ଧାନ କିଣା ଯାଇ ପାରିବ ନାହିଁ l ଚାଷୀ ମାନେ ଲ୍ୟମ୍ପସରେ ତାଲା ପକେଇବା ପରେ କରଞ୍ଜିଆ ଉପସହକାରୀ ନିବନ୍ଧକ ହୃଦାନନ୍ଦ ପ୍ରଧାନ ଓ ଶ୍ୟାମସୁନ୍ଦର ଟୁଡୁ, ଯଶିପୁର ଲ୍ୟମ୍ପସ ଏମ.ଡି. ଟିକିନା ବେହେରା ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ l ଚଷୀମାନଙ୍କ ପାଖରୁ କିଣା ଯାଇ ପାରିନଥିବା ବକେୟା ଧାନ ସରିବା ପର୍ଯ୍ୟନ୍ତ ସବୁଦିନ ଲ୍ୟମ୍ପସର ଧାନମଣ୍ଡିରେ କିଣାଯିବ ବୋଲି ପ୍ରତିଶୃତି ମିଳିବାପରେ ଚାଷୀମାନେ ତାଲା ଖୋଲିଥିଲେ l ହରେକୃଷ୍ଣ ମହାନ୍ତ, ଅରୁଣ ବେହେରା,ଶ୍ରୀକାନ୍ତ ମହାନ୍ତ, ବିଶେଶ୍ୱର ମହାନ୍ତ, ବସନ୍ତ ମହାନ୍ତ ସମେତ ଶତାଧିକ ଚାଷୀ ସେଠାରେ ଉପସ୍ଥିତ ଥିଲେ l


