ବିସ୍ଥାପିତ ଗ୍ରାମବାସୀଙ୍କ ବୈଠକ
ଯୋଡ଼ା (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ଯୋଡା ବ୍ଲକ ବାସୁଦେବପୁର ଠାରେ ଶୁକ୍ରବାର ବୈତରଣୀ ନଦୀ ଉପରେ ନିର୍ମାଣଧିନ କାନପୁର ବୃହତ ଜଳ ସେଚନ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଦଡୁଆଁ ଗ୍ରାମବାସୀଙ୍କୁ ଥଇଥାନରେ ବିଳମ୍ବ କରାଯିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ବୈଠକ ହୋଇଥିଲା । ଗ୍ରାମବାସୀମାନେ ଏକାଠି ହୋଇ ପ୍ରକଳ୍ପ କର୍ତୁପକ୍ଷଙ୍କ ଥଇଥାନରେ ବିଳମ୍ବ ଓ ଘରଡିହ ନଦେଇ ଟଙ୍କା ନେବା ପାଇଁ ଚାପ ପ୍ରୟୋଗ କରାଯାଉଥିବାରୁ ଗ୍ରାମବାସୀମାନେ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ, ପ୍ରକଳ୍ପରେ ଏହି ଗ୍ରାମକୁ ସମ୍ପୂର୍ଣ୍ଣ ବୁଡି ଅଂଚଳ ଘୋଷଣା କରାଯାଇଥିଲା । ଗତ ୨୦୦୮ ମସହିହାରେ ଜମି କ୍ଷତିପୂରଣ ଟଙ୍କା ପ୍ରଦାନ କରାଯାଇଥିଲା । ସେ ସମୟରେ ସର୍ଭେ କରାଯାଇ ବିସ୍ଥାପିତ ତାଲିକା ପ୍ରକାଶ କରାଯାଇଥିଲା । ସେ ସମୟରୁ ତ୍ରୁଟିପୂର୍ଣ୍ଣ ସର୍ଭେ କରାଯାଇ ମାତ୍ର ୩୨୨ ଜଣଙ୍କୁ ବିସ୍ଥାପିତ ତାଲିକାରେ ସାମିଲ କରାଯାଇଥିବା ବେଳେ ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ଗ୍ରାମବାସିମାନେ ଏପର୍ଯ୍ୟନ୍ତ ବିସ୍ଥାପିତ ତାଲିକରୁ ବାଦ ପଡିଛନ୍ତି । ଯାହାଫଳରେ କି , ଏହି ବିସ୍ଥାପିତମାନେ ସରକାରୀ ସହାୟତା ଓ ଘରଡିହ ପାଇବା ପାଇଁ ଯୋଗ୍ୟ ହୋଇ ପାରୁନାହାନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି । ବିସ୍ଥାପିତ ଗ୍ରାମବାସୀମାନଙ୍କ ମଧ୍ୟରୁ ୨୦୦୮ ମସିହାରୁ ୮୬ ଜଣ ଘରଡିହ ନେବା ପାଇଁ ପ୍ରକଳ୍ପ କର୍ତୁପକ୍ଷଙ୍କୁ ଜଣାଇଥିଲେ । ସେହି ବର୍ଷ ଠାରୁ ସର୍ଭେ ପରେ ସର୍ଭେ କରାଯାଇଥିଲେ ହେଁ , ପ୍ରକଳ୍ପ ପକ୍ଷରୁ କୌଣସି ଜମି ଚିହ୍ନଟ କରାଯାଇପାରିନଥିଲା । ଯାହାଫଳରେ କି ଗ୍ରାମବାସୀମାନେ ୨୦୧୩ ମସିହାରେ ଦଡୁଆଁ ମୌଜାର ଖାତା ନଂ ୧୬୪/୧ ଅଂଚଳରେ ରହିଥିବା ପ୍ରକଳ୍ପର ପାଣିରେ ବୁଡୁନଥିବା ଜମିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଜଳସମ୍ପଦ ବିଭାଗର ସଚିବ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରଙ୍କ ପକ୍ଷରୁ ଏହି ଆବେଦନ ଗ୍ରହଣ କରାଯାଇ ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କୁ ଥଇଥାନ କରିବା ପାଇଁ ଜମି ଚିହ୍ନଟ କରାଯାଇଥିଲା । ଜମି ଚିହ୍ନଟ ହେବାର ୩ ବର୍ଷ ରୁ ଉଦ୍ଧ୍ୱର୍ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ସ୍ଥାନର କୌଣସି ଉନ୍ନତିକରଣ କରାଯାଇନାହିଁ । ଗତ କିଛିଦିନ ପୂର୍ବରୁ ଗ୍ରାମବାସୀଙ୍କୁ ଘରଡିହ ନିମନ୍ତେ ଅନ୍ୟ ଏକ ସ୍ଥାନରେ ଆବେଦନ କରିବା ପାଇଁ ଗ୍ରାମବାସୀଙ୍କୁ ନୋଟିସ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀ ଚିହ୍ନଟ କରିଥିବା ଧୁବୁଲାବେଡା ସ୍ଥାନରେ ଥଇଥାନ ନକଲେ ଆଗାମି ଦିନରେ ବିସ୍ଥାପିତ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବୈଠକରେ ନିଷ୍ପରି ନିଆଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସୁରେଶ ଗିରି, ରବି ପାତ୍ର ଓ ଅନ୍ୟ ଗ୍ରାମବାସୀମାନେ କହିଥିଲେ । ଏନେଇ କାନପୁର ପ୍ରକଳ୍ପ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


