ଜାତୀୟତା ଚାପରେ ମହାମାରୀ ପରବର୍ତ୍ତୀର ଭାରତ ଉପରେ ଆଲୋଚନା ଚକ୍ର
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ବିଭିନ୍ନ ସାମାଜିକ-ଅର୍ଥନୈତିକ ଉନ୍ନତି ସହ ଦେଶବାସୀ ଆତ୍ମନିର୍ଭରଶୀଳ ହେଲେ ଅଟକିଯାଇଥିବା ବିକାଶରେ ଉନ୍ନତି ହୋଇପାରିବ ବୋଲି ଭାରତୀୟ ଲୋକ ପ୍ରଶାସନ (ଆଇ.ଆଇ.ପି.ଏ) ର ଓଡିଶା ଶାଖା ଆନୁକୁଲ୍ୟରେ ଆୟୋଜିତ ମହାମାରୀ ପରବର୍ତ୍ତୀ ଭାରତ-ଏକ ଜାତୀୟତା ଚାପ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭାରତୀୟ ବିଦେଶ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ପୂର୍ବତନ ରାଷ୍ଟ୍ରଦୂତ ଡଃ ମଳୟ ମିଶ୍ର ମତବ୍ୟକ୍ତ କରିଛନ୍ତି । ଆଠ ନମ୍ବର ସ୍ଥିତ ଡି.ଏ.ଭି. ପବ୍ଲିକ୍ ସ୍କୁଲର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ସଂସ୍ଥାର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ତଥା ଆଲୋଚ୍ୟ ବିଷୟ ବସ୍ତୁ ଉପରେ ସମ୍ୟକ ଧାରଣା ଦେଇଥିବା ବେଳେ ସଂପାଦକ ଅଶୋକ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ‘କରୋନା ମହାମାରୀ ପରର ଦୁଃସ୍ଥିତି ମଧ୍ୟରେ ଗତି କରୁଛି’ ଶୀର୍ଷକ ପ୍ରସଙ୍ଗରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ମତାମତ ରଖି କହିଥିଲେ ଯେ, ଦେଶର ଜିଡିପି ଅଭିବୃଦ୍ଧି କରୋନା ପରବର୍ତ୍ତୀ କାଳରେ ନିମ୍ନଗାମୀ ହେବାର ସୂଚନା ମିଳିଲାଣି । ‘ଆତ୍ମନିର୍ଭର ଭାରତ’ ପରିକଳ୍ପନା ଏକ ଉତ୍ସାହପ୍ରଦ ପଦକ୍ଷେପ ବୋଲି ସେ ଦୃଢ ମତ ରଖିଥିଲେ, କିନ୍ତୁ ବହିବାଣିଜ୍ୟ ଓ ରପ୍ତାନି କ୍ଷେତ୍ରରେ ଭାରତର ଦୁର୍ବଳତା ଏକ ଚିନ୍ତାର ବିଷୟ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଆଲୋଚନା ଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବା ସହ ମୁଖ୍ୟ ଅତିଥିଙ୍କୁ ସଂଘର ସ୍ମରଣିକା ତଥା ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ପ୍ରାକ୍ତନ ଶିକ୍ଷା ସଚିବ ଡ. ଅରୁଣ ରଥ, ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ବଟକୃଷ୍ଣ ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଅଧ୍ୟାପକ ଯୁଗଳ ମିଶ୍ର, ପ୍ରାକ୍ତନ ଆଇଏଫ୍ଏସ୍ ବି.ସି.ପାଲ୍ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ବି.ପି. ତ୍ରିପାଠୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ଓ ଅଫିସ ସେକ୍ରେଟାରୀ ଅମିତା ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ । ଡିଏଭି ସ୍କୁଲର ଅଧ୍ୟକ୍ଷା ଈପ୍ସିତା ଦାସ ଓ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ବିଷୟବସ୍ତୁକୁ ନେଇ ମହାମାରୀ ତଥା ପରବର୍ତ୍ତୀ ସମୟରେ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ବିଭିନ୍ନ ଅଲୋଚନା ଚକ୍ର ଆୟୋଜନ କରି ଏହି ଅନୁଷ୍ଠାନ ବୁଦ୍ଧିଜୀବି ମହଲରେ ବେଶ୍ ଆଦୃତ ଲାଭ କରିଛି ।


