ଶ୍ରମିକ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): ଓଡିଶାରେ ପଞ୍ଜିକୃତ ହୋଇଥିବା ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକ ବିଭିନ୍ନ ସମସ୍ୟର ସମ୍ମୁଖୀନ ହେଉଛନ୍ତି ଓ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିର୍ଯ୍ୟାତନା ଦିଆଯାଉଛି । ଅପରପକ୍ଷରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଶ୍ରମ ଅଧିକାରୀ, ଜିଲାପାଳ, ଶ୍ରମ କମିଶନର, ରାଜ୍ୟ ଓ କେନ୍ଦ୍ର ସରାକାର କର୍ଣ୍ଣପାତ କରୁନାହାଁନ୍ତି ବୋଲି ଶ୍ରମିକ ସଂଗଠନ ଆଇଏନ୍‌ଟିୟୁସି ଅଭିଯୋଗ କରିଛି । ଏ ନେଇ ସମଗ୍ର ରାଜ୍ୟରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ମଧ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲା ସଭାପତି ମୁକ୍ତାର ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଆଇଏନ୍‌ଟିୟୁସି ସହବନ୍ଧିତ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘର ସଭାପତି ଫକୀର ଚରଣ ଖଟୁଆ, ଉପ ସଭାପତି ବିଧୁ ଭୂଷଣ ମହାପାତ୍ର, ଓଡିଶା କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘର ସଭାପତି ବସନ୍ତ କୁମାର ସେଠୀ, ବିଶ୍ୱକର୍ମା କୋଠାବାଡି ଓ ନିର୍ମାଣ ଶ୍ରମିକ ସଂଘର ସଭାପତି କୃଷ୍ଣଚନ୍ଦ୍ର ରାଉତ, ଆଇଏନ୍‌ଟିୟୁସି ଜିଲା ଶାଖା ସଭାପତି ରଶ୍ମି ରଞ୍ଜନ ଚୌଧୁରୀ, ମହେନ୍ଦ୍ର କୁମାର ପରିଡ଼ା, ସର୍ବେଶ୍ୱର ସେଠୀ, ପ୍ରଫୁଲ୍ଲ କୁମାର ଦାସ, ପ୍ରଦୀପ୍ତ କୁମାର ମହାନ୍ତି, ମମତା ଦାସ, ମାନସୀ ବେହେରା, ଶଙ୍କର ଜେନା ପ୍ରମୁଖ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶ୍ରମିକମାନଙ୍କର ୧୧ ଦଫା ଦାବି ସମ୍ବଳିତ ଏକ ସ୍ୱାରକପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରମିକ ସଂଗଠନର ନେତାମାନେ କହିଥିଲେ ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜିକରଣ କରାଯାଉନାହୌିଁ, ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଝିଅ ବିବାହ, ପ୍ରସୂତୀ କାଳୀନ, ପିଲାଙ୍କ ଶିକ୍ଷା, ଯନ୍ତ୍ରପାତି, ସାଇକଲ, ଚିକିତ୍ସା, ଗୃହନିର୍ମାଣ, ଅନ୍ତ୍ୟେଷ୍ଟିକ୍ରିୟା ଓ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଉନାହିଁ । ପଞ୍ଜିକୃତ ଶ୍ରମିକମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା ଥିବା ବେଳେ ତାହା ମଧ୍ୟ କରାଯାଉନାହିଁ ଓ ତାଲିମପ୍ରାପ୍ତ ଶ୍ରମିକମାନଙ୍କ ତାଲିମକାଳୀନ ଭତ୍ତା ପ୍ରଦାନ କରାଯାଉନାହିଁ । କୋଭିଡ଼-୧୯ ସମୟର ସହାୟତା ରାଶି ଅନ୍ୟ ରାଜ୍ୟ ସରକାରମାନେ ୧୨୦୦୦ ଟଙ୍କା, ୧୦୦୦୦, ୯୦୦୦, ୬୦୦୦, ୫୦୦୦ ପଦାନ କରୁଥିବା ବେଳେ ଆମ ରାଜ୍ୟରେ ସମୁଦ୍ରକୁ ସଙ୍ଖେ ଭଳି ମାତ୍ର ୧୫୦୦ ଟଙ୍କା ଦେବା ପାଇଁ ସରକାର ସ୍ଥିର କରିଛନ୍ତି । କିନ୍ତୁ ଅଦ୍ୟାବଧି ଅର୍ଦ୍ଧାଧିକ ଶ୍ରମିକମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇ ନାହିଁ । ଏସମସ୍ତ ସମସ୍ୟାରେ ଶ୍ରମିକମାନେ ଜର୍ଜରିତ ହେଉଥିବା ବେଳେ କେନ୍ଦ୍ର ସରକାର ମନମୁଖୀ ଓ ଅଗଣତାନ୍ତ୍ରିକ ଭାବରେ ୪୪ଟି ଶ୍ରମ ଆଇନ୍‌କୁ ପରିବର୍ତ୍ତନ କରି ୪ଟି ଲେବର କୋର୍ଡ ପ୍ରଣୟନ କରିଛନ୍ତି । ଏଥିସହିତ ସମଗ୍ର ଦେଶର କୃଷକମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ୩ଟି କଳା କୃଷି ଆଇନ୍ ପ୍ରଣୟନ କରିଛନ୍ତି । ଯାହା କୃଷକ ଓ କୃଷି ଶ୍ରମିକ ବିରୋଧୀ ବୋଲି ଶ୍ରମିକ ନେତାମାନେ ଏହି ଅବସରରେ କହିଛନ୍ତି । କୃଷକ ଓ ଶ୍ରମିକମାନଙ୍କ ଦାବି ତୁରନ୍ତ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ଜିଲାରେ ତୁରନ୍ତ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା କରିବା ପାଇଁ ଏହି ଶ୍ରମିକ ନେତାମାନେ ଦାବି କରିଛନ୍ତି । ଶେଷରେ ନୃସିଂହ ଚରଣ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭଦ୍ର, ଯଶ୍ମିନ ପରୱିନ, କୈଳାଶ ଓଝା, ଗୋବିନ୍ଦ ସେନାପତି, ପ୍ରକାଶ ପରିଜା, ଅଶୋକ ଲେଙ୍କା, ରଞ୍ଜନ ବେହେରା, ରବୀନ୍ଦ୍ର ପରିଡ଼ା, ସୁବାସ ମଳିକ ଓ ସନ୍ତୋଷ ମଳିକ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ